ନୂଆଦିଲ୍ଲୀ: ଶ୍ରେୟସ ଆୟରଙ୍କ ନେତୃତ୍ଵରେ ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲ୍ର ଫାଇନାଲ୍ ପହଞ୍ଚି ପାରିଥିଲା। ଦଳ ୬ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ଠୁ ହାରି ରନର୍ସଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଦଳ ଚାମ୍ପିଅନ ନ ହେଲେ ବି ଶ୍ରେୟସ ଯେଉଁଭଳି ଭାବେ ଦଳର ନେତୃତ୍ଵ ନେଲେ ଏବଂ ବ୍ୟାଟିଂରେ ପ୍ରଦର୍ଶନ କଲେ ତାହାକୁ ସବୁ ଆଡ଼େ ପ୍ରଶଂସା କରାଯାଉଛି।
ଶ୍ରେୟସ ଅଧିନାୟକତ୍ଵରେ ଛାଇଯିବା ସହ ବ୍ୟାଟିଂରେ ବି କମାଲ୍ କରିଛନ୍ତି। ସେ ଆଇପିଏଲ୍ ୨୦୨୫ରେ ମୋଟ୍ ୧୭ଟି ମ୍ୟାଚ୍ରେ ୫୦.୩୩ ହାରରେ ୬୦୪ ରନ କରିଛନ୍ତି। ଏଥିରେ ୬ ଅର୍ଦ୍ଧଶତକ ସାମିଲ। ଆୟର ପ୍ରଥମ ଅଧିନାୟକ ଯିଏ ନିଜ ନେତୃତ୍ଵ ବଳରେ ତିନି ଅଲଗା ଅଲଗା ଦଳକୁ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି। ଏହା ପୂର୍ବରୁ ଶ୍ରେୟସ କୋଲକାତା ନାଇଟ୍ ରାଇଡର୍ସ(୨୦୨୪) ଓ ଦିଲ୍ଲୀ କ୍ୟାପିଟାଲ୍ସ(୨୦୨୦)କୁ ଫାଇନାଲ୍ରେ ପହଞ୍ଚାଇଥିଲେ।
ନିକଟରେ ସଂପନ୍ନ ଆଇପିଏଲ୍ରେ ଦମଦାର ପ୍ରଦର୍ଶନ ପରେ ଶ୍ରେୟସ ଆୟରଙ୍କ ଟି-୨୦ ଦଳରେ ପ୍ରତ୍ୟାବର୍ତ୍ତନ ହୋଇପାରେ। ଶ୍ରେୟସ ୨୦୨୩ ଡିସେମ୍ବର ପରଠୁ ଭାରତୀୟ ଦଳ ପକ୍ଷରୁ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ହେଲେ ଏବେ ତାଙ୍କୁ ଟି-୨୦ ଦଳରେ ଡକରା ହୋଇପାରେ। ଇଣ୍ଡିଆନ୍ସ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଟି-୨୦ ବିଶ୍ଵକପ୍ ୨୦୨୬କୁ ଦୃଷ୍ଟିରେ ରଖି ଶ୍ରେୟସ ଆୟରଙ୍କୁ ଟି-୨୦ ଦଳର ରଣନୀତିରେ ସାମିଲ କରାଯାଇପାରେ।
ବିସିସିଆଇର ସୂତ୍ର ଅନୁଯାୟୀ, ଶ୍ରେୟସ ଆୟର ଏ ପର୍ଯ୍ୟନ୍ତ କେବଳ ଦିନିକିଆ ଖେଳୁଛନ୍ତି। ମାତ୍ର ଆଇପିଏଲ୍ର ଚଳିତ ସଂସ୍କରଣ ପରେ ବିସିସିଆଇ ଟି-୨୦ ଅନ୍ତର୍ଜାତୀୟ ଏବଂ ଟେଷ୍ଟ ଦଳରୁ ଶ୍ରେୟସକୁ ଅଧିକ ସମୟ ବାଦ୍ ଦିଆଯାଇ ପାରିବ ନାହିଁ। ବିସିସିଆଇର ଜୈନକ ଅଧିକାରୀଙ୍କ ଅନୁଯାୟୀ, ଶ୍ରେୟସ ଆୟର ଅଧିନାୟକ ଦୌଡ଼ରେ ମଧ୍ୟ ସାମିଲ ହୋଇଛନ୍ତି। ତାଙ୍କୁ ଦିନିକିଆ କ୍ରିକେଟ୍ରେ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଛି।
ଦିନିକିଆ କ୍ରିକେଟ୍ରେ ଶ୍ରେୟସ ଆୟର ଦମଦାର ପ୍ରଦର୍ଶନ କରି ଆସିଛନ୍ତି। ଚଳିତ ବର୍ଷ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳର ଟ୍ରଫି ବିଜୟରେ ଆୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚ୍ ଖେଳି ୨୪୩ ରନ କରିଥିଲେ। ଏଥିରେ ୨ଟି ଅର୍ଦ୍ଧଶତକ ସାମିଲ। ସେ ଦିନିକିଆ ବିଶ୍ଵକପ୍ ୨୦୨୩ରେ ମଧ୍ୟ ଧମାଲ କରିଥିଲେ। ସେ ୧୧ଟି ମ୍ୟୁାଚ୍ ଖେଳି ୬୬.୨୫ ହାରରେ ୫୩୦ ରନ କରିଥିଲେ। ଏଥିରେ ଦୁଇ ଶତକ ଓ ତିନି ଅର୍ଦ୍ଧଶତକ ସାମିଲ। ହେଲେ ହ୍ଵାଇଟ୍ ବଲ୍ରେ ଦମଦାର ପ୍ରଦର୍ଶନ ପରେ ବି ଶ୍ରେୟସଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ।