ମୁୁମ୍ବାଇ: ଆଜି ଆଇପିଏଲର ୨୦ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏପ୍ରିଲ ୭ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟନୁସାରେ ସାଢେ ୭ଟାରେ ଆରମ୍ଭ ହେବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଆଶ୍ୱସ୍ତିକର ଖବର ଏହା ଯେ, ଯଶପ୍ରୀତ ବୁମରାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି । ଆଜିର ମ୍ୟାଚରେ ତାଙ୍କର ଖେଳିବାର ସମ୍ଭାବନା ରହିଛି । ସବୁଠୁ ବଡ କଥା ୧୦ ବର୍ଷ ହେଲା ବେଙ୍ଗାଲୁରୁ ୱାଙ୍ଖେଡେରେ ମ୍ୟାଚ୍ ଜିତି ନାହିଁ । ଅନ୍ୟପଟେ ଚଳିତ ବର୍ଷ ମୁମ୍ବାଇର ପ୍ରଦର୍ଶନ କିଛି ଖାସ୍ ନାହିଁ ।
ମୁମ୍ବାଇ ଓ ବେଙ୍ଗାଲୁରୁ ମଧ୍ୟରେ ଏ ପର୍ଯ୍ୟନ୍ତ ମୋଟ୍ ୩୩ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ମୁମ୍ବାଇ ୧୯ଟି ଜିତିଥିବା ବେଳେ ଆରସିବି ୧୪ଟି ମ୍ୟାଚ୍ ଜିତିଛି । ୱାଙ୍ଖେଡେ ଷ୍ଟାଡିୟମରେ ଏ ପର୍ଯ୍ୟନ୍ତ ମୋଟ୍ ୧୧୭ଟି ମ୍ୟାଚ୍ ଖେଳା ଯାଇଛି । ଏଥିରେ ପ୍ରଥମେ ବୋଲିଂ କରୁଥିବା ଦଳର ପଲ୍ଲା ଭାରି ରହିଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ୫୪ ଥର ଜିତିଥିବା ବେଳେ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୬୩ ଥର ଜିତିଛି ।
ଏହି ଷ୍ଟାଡିୟମର ପିଚ୍ ବୋଲରଙ୍କ ତୁଳନାରେ ବ୍ୟାଟରଙ୍କୁ ଅଧିକ ସୁହାଇଥାଏ । ଏଠାରେ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ଚାହିଁବେ । ପ୍ରଥମେ ବ୍ୟାଟିଂ କରୁଥିବା ଦଳର ଲକ୍ଷ୍ୟ ୨୦୦ରୁ ଅଧିକ ରନ କରିବା ଉପରେ ରହିବ । ଚଳିତ ସିଜିନରେ ମୁମ୍ବାଇ ୪ଟି ମ୍ୟାଚ୍ ମାତ୍ର ଗୋଟିଏ ଜିତି ପାରିଛି । ଦଳ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଛି । ଅନ୍ୟପଟେ ବେଙ୍ଗାଲୁରୁର ପ୍ରଦର୍ଶନ ଦମଦାର ରହିଛି । ଆରସିବି ୩ଟି ଖେଳି ୨ଟି ଜିତି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଯଦି ଆଜିର ମ୍ୟାଚ୍ ବେଙ୍ଗାଲୁରୁ ଜିତେ ତେବେ ଦଳ ପ୍ରଥମ ସ୍ଥାନକୁ ଉଠିପାରେ । ଅନ୍ୟପଟେ ମୁମ୍ବାଇ ଜିତିଲେ ଅଷ୍ଟମରୁ ଚତୁର୍ଥକୁ ଉଠିବ ।