ଭୁବନେଶ୍ୱର: କାରାଗାରରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି । କଏଦୀମାନେ ପ୍ରାର୍ଥୀ ହୋଇଥିବାବେଳେ କଏଦୀମାନେ ମତଦାନ କରିଛନ୍ତି । ରାଜ୍ୟର ୮୭ଟି ମଣ୍ଡଳ କାରଗାରରେ ହୋଇଛି ନିର୍ବାଚନ ।
କାରଗାରରେ ଗଠନ ମୂଳକ କାମ, ଉନ୍ନୟନ ମୂଳକ କାମ, ଖାଦ୍ୟ ବଣ୍ଟନ ପାଇଁ ବଛା ହୋଇଛନ୍ତି ଜେଲ ସରପଞ୍ଚ । ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ପ୍ରତିଯୋଗୀଙ୍କ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ମଧ୍ୟ ରଖାଯାଇଥିଲା । ନିର୍ବାଚନ ଲଢ଼ୁଥିବା କଏଦୀ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଜେଲରେ କାଟିଥିବେ, କୌଣସି ଜଘନ୍ୟ ଅପରାଧ କିମ୍ବା ନିଶା କାରବାର ସହିତ ଜଡ଼ିତ ନ ଥିବେ । ସାଧାରଣ ନିର୍ବାଚନ ଭଳି ପ୍ରାର୍ଥୀ ପତ୍ର ଦାଖଲ, ଯାଞ୍ଚ ଏବଂ ପ୍ରତ୍ୟାହାର ପ୍ରକ୍ରିୟା ହୋଇଥିଲା । ଏହା ପରେ ପ୍ରତିଯୋଗୀମାନେ ଜେଲରେ ନିଜ ସପକ୍ଷରେ ଭୋଟ୍ ଦେବାକୁ ପ୍ରଚାର କରିଥିଲେ । ଏହା ପରେ ଆଜି ମତଦାନ ହୋଇଛି ।
ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର କାରଗାରରେ ମଧ୍ୟ ହୋଇଛି ମତଦାନ । ଏହି ନିର୍ବାଚନରେ ୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବାବେଳେ ୨ ଜଣଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଥିଲା । ସେହିପରି ୧୦୧୯ ଜଣ କଏଦୀ ମତଦାନ କରିଛନ୍ତି । ସେଥିମଧ୍ୟରୁ ୭ଟି ନାକଚ ହୋଇଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ମନୋରଞ୍ଜନ ପ୍ରତିହାରୀ ।