ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ନିଜର କ୍ୟାମ୍ପସ୍ କରିବ HCL । ଭୁବନେଶ୍ୱରରେ କମ୍ପାନୀର କ୍ୟାମ୍ପସ୍ ର ପ୍ରତିଷ୍ଠାକୁ ନେଇ ପ୍ରଥମ ପର୍ଯ୍ୟାୟର ଆଲୋଚନା ଶେଷ ହୋଇଥିବା ସୂଚନା ମିଳୁଛି । ଏଠି ନିମନ୍ତେ ଆଗାମୀ ଆଲୋଚନା ପାଇଁ HCL ପକ୍ଷରୁ ଆଉ ଏକ ଦଳ ଭୁବନେଶ୍ୱର ଆସିବ । ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ HCL କର୍ତ୍ତୃପକ୍ଷଙ୍କୁ ଓଡିଶା ଆସିବାକୁ ନେଇ ଆମନ୍ତ୍ରଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ତିନି ଦିନିଆ ଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ଦିଲ୍ଲୀର ନୋଏଡା ସ୍ଥିତ ଆଇଟି ପାର୍କରେ ବୁଲିବା ସହିତ ସଫଳ ଆଇଟି କମ୍ପାନୀ ମାନଙ୍କୁ ଓଡିଶା ଆସିବାକୁ ଆମନ୍ତ୍ରଣ କରିଛନ୍ତି । ନିଜର ଏହି ଗସ୍ତ ସମୟରେ HCL ଟେକ୍ ର କ୍ୟାମ୍ପସ୍ ବୁଲି ଦେଖିବା ସହିତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।
HCL ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ପ୍ରତିକ୍ରିୟା ଅନୁଯାୟୀ ସେମାନେ ଓଡ଼ିଶାରେ ନିଜର ଏକ କ୍ୟାମ୍ପସ ପ୍ରତିଷ୍ଠା କରିବାକୁ ନେଇ ଉତ୍ସାହିତ ଥିବା ନେଇ ପ୍ରକାଶ କରିଥିଲେ । ଓଡିଶା ବଜାରରେ କମ୍ପାନୀର ପ୍ରବେଶକୁ ନେଇ ବେଶ ଆଶାବାଦୀ ଅଛନ୍ତି । ଏନେଇ ଖୁବ ଶୀଘ୍ର ଅଧିକ ଆଲୋଚନା କରିବା ସହିତ ନିବେଶ ନିମନ୍ତେ ଅଧିକାରୀ ମାନେ ଆଗାମୀ ଦିନରେ ଓଡ଼ିଶାରେ ପହଞ୍ଚିବେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୬ ଏପ୍ରିଲ ତାରିଖରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ ଓଡ଼ିଶାରେ ବହୁ ଅର୍ଥନୈତିକ ନିବେଶ ପାଇଁ ବହୁ ଦିଗ୍ଗଜ ଅଧିକାରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । IOCL, ପେଟ୍ରୋନେଟ LNG, ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିଅମ ରିଜର୍ଭସ୍ ଲିମିଟେଡ଼ ସହିତ ଚୁକ୍ତିନାମା ସ୍ଵାକ୍ଷର କରାଯିବା ନେଇ କାର୍ଯ୍ୟକ୍ରମ ରହିଛି । ୯ ଏପ୍ରିଲକୁ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ ।