ଭୁବନେଶ୍ୱର: ସଂସଦୀୟ ଗଣତନ୍ତ୍ର ଯେକୌଣସି ବିଲ୍ ସପକ୍ଷରେ ଏବଂ ବିପକ୍ଷରେ ଭୋଟ୍ ଦିଆ ହୁଏ । କିନ୍ତୁ ବିବେକ ଅନୁସାରେ ଭୋଟ୍ ଦେବାଟା ପୃଥିବୀରେ କେଉଁଠି ନାହିଁ । ସଂସଦର ବଜେଟ୍ ଅଧିବେଶନ ଶେଷ ହେବା ପରେ ସୋମବାର ଭୁବନେଶ୍ୱର ଫେରି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ସାଂସଦ ମୁଜିବୁଲ୍ଲା ଖାଁ ଓରଫ୍ ମୁନା ଖାଁ ।
ସାଂସଦ ମୁନା ଖାଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ସେ ତାଙ୍କର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ ସାଂସଦ ସସ୍ମିତ ପାତ୍ରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସସ୍ମିତଙ୍କୁ ଦଳରୁ ବାହାରି ଯିବାକୁ ସେ ସିଧା ସିଧା କହିଛନ୍ତି । ସେ କହିଛନ୍ତି ଯେ ବିଜୁ ଜନତା ଦଳ ଏକ ଧର୍ମ ନିରପେକ୍ଷ ଦଳ । ୱକଫ୍ ସଂଶୋଧନ ବିଲକୁ ବିରୋଧ କରିବା ଦଳର ସଭାପତି ନବୀନ ପଟ୍ଟନାୟକ କହିଥିଲେ । ଯେତେବେଳେ ବିଲ୍ ସଂସଦରେ ଆସିଲା ସେତେବେଳେ ମୁଁ ବିଲକୁ ବିରୋଧ କରିଥିଲି । କିନ୍ତୁ ସନ୍ଧ୍ୟା ବେଳକୁ ଦଳର ଜଣେ ନେତା (ସସ୍ମିତ ପାତ୍ର) ବିବେକ ଅନୁସାରେ ଭୋଟ୍ ଦେବାକୁ ଟ୍ୱିଟ୍ କଲେ । ସଂସଦରେ ଯେଉଁ କୌଣସି ବିଲ୍ ସପକ୍ଷରେ ଏବଂ ବିପକ୍ଷରେ ଭୋଟ୍ ଦିଆ ହୁଏ । କିନ୍ତୁ ବିବେକାନୁଗତିତରେ ଭୋଟ୍ ଦେବାଟା ପୃଥିବୀରେ କେଉଁଠି ନାହିଁ କିମ୍ବା ମୁଁ ଜାଣି ନାହିଁ । କିନ୍ତୁ ଟ୍ୱିଟ୍ କଲା ପରେ ମୁଁ ତାଙ୍କୁ ପାଇଲି ନାହିଁ । ଏହା ବହୁତ ଦୁଃଖର କଥା । ଏହା ଦଳ ସହିତ ଅଳ୍ପସଂଖ୍ୟକ ଭାଇମାନଙ୍କୁ ଗଭୀର ଆଘାତ ଦେଇଛି ।
ସେ ଆହୁରି କହିଛନ୍ତି, ସେବେଠାରୁ ମୁଁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାବେଳେ ଯୋଗାଯୋଗ ହୋଇପାରି ନାହିଁ । କାହିଁକି ଏପରି କଲେ ତାହାର ଜବାବ କେବଳ ସେ ହିଁ ଦେଇପାରିବେ । କିନ୍ତୁ ନବୀନ ପଟ୍ଟନାୟକ ଏ କଥା କହି ନ ଥିବେ ବୋଲି ଦୃଢ଼ତାର ସହିତ କହିଛନ୍ତି ସାଂସଦ ଶ୍ରୀଯୁକ୍ତ ଖାଁ । ସେଦିନ କଣ କଣ ହୋଇଥିବା ସେ ସମସ୍ତ କଥା ସୁପ୍ରିମୋଙ୍କୁ ଜଣାଇବେ । ସଭାପତି ହିଁ ସମସ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।
ପରିଶେଷରେ ପରୋକ୍ଷରେ ସସ୍ମିତ ପାତ୍ରଙ୍କୁ ଦଳରୁ ବାହାରି ଯିବାକୁ କହିଛନ୍ତି ମୁନା ଖାଁ । ଦଳରେ ଦୋମୁହାଁ ନୀତି ଚଳିବ ନାହିଁ । ଯାହାର ଦଳ ଛାଡ଼ି ବିଜେପି ଯିବାର ଅଛି ସେ ଚାଲିଯାଆନ୍ତୁ ବୋଲି ସେ କହିଛନ୍ତି ।