ଭୁବନେଶ୍ୱର: ଗାଡ଼ିରେ ବିସ୍ଫୋରକ ନେଉଥିବା ସମୟରେ ଘଟିଲା ବିସ୍ଫୋରଣ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଖୋର୍ଦ୍ଧା ଜିଲ୍ଲାର ସେଢେଇଆଗଡ଼ ଗାଁରେ ସୋମବାର ପ୍ରାତଃ ସମୟରେ ଏପରି ଅଘଟଣ ଘଟିଯାଇଛି ।
ପ୍ରାଥମିକ ତଦନ୍ତ ଅନୁଯାୟୀ ସେଢେଇଆଗଡ଼ ଗ୍ରାମର ବାସିନ୍ଦା ଲୁଲୁ ସେନାପତି ଓ ନିରାକାର ସିଂ ବିସ୍ପୋରକକୁ କେଉଁ ଆଡେ ନେଇ ଯାଉଥିବା ବେଳେ ଅସାବଧାନତା ଯୋଗୁଁ ଏକ ବିସ୍ଫୋରକ ଖସି ପଡିବାରୁ ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ନିରାକାରଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଲୁଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଛି । ବର୍ତମାନ ସୁଦ୍ଧା ଲୁଲୁଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିନାହିଁ ।
ଘଟିଥିବା ବିସ୍ଫୋରଣର ପ୍ରଭାବ ଏତେ ତୀବ୍ର ଥିଲା ଯେ ଆଖପାଖ କେତେ ଅଞ୍ଚଳ ଏହାର ପ୍ରଭାବରେ ଥରି ଉଠିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ ପୋଲିସ, ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଅଧିକାରୀଙ୍କ ମତରେ,"ପୋଲିସ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀର ସହକାରେ ଗ୍ରହଣ କରିବା ସହିତ ଛାନଭିନ୍ ଜାରି ରଖିଛି । ଏହି ବିସ୍ଫୋରକର କେଉଁଠୁ ଆସିଲା ଏବଂ ଏହା ପଛର କେଉଁ ଉଦ୍ଧେଶ୍ୟ ରହିଛି ଏହି ଦିଗରେ ତଦନ୍ତ ଚଳାଇଛି ପୋଲିସ ।"
ତେବେ ଏହି ବିସ୍ଫୋରକ କେଉଁଠି ତିଆରି ହୋଇଥିଲା, କେଉଁ ସ୍ଥାନକୁ ପ୍ରେରଣ କରାଯାଉଥିଲା ଓ କାହିଁକି , ଏହି ସବୁ ପ୍ରଶ୍ନ ଜନସାଧାରଣରେ ସୃଷ୍ଟି ହେଉଛି । ଏଥି ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।