ଭୁବନେଶ୍ଵରର: ଭୁବନେଶ୍ଵରସ୍ଥିତ ସପ୍ତମ ବାଟାଲିୟନ ପଡ଼ିଆରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଆନୁଷ୍ଠାନିକଭାବେ ସୋମବାର ଉଦଘାଟିତ ହୋଇଯାଇଛି । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ।
ଏହି ପ୍ରତିଯୋଗିତା ଏପ୍ରିଲ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଲିଗ୍ କମ୍ ନକଆଉଟ୍ ଫର୍ମାଟରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଦଳ ଅଂଶଗ୍ରହଣ କରୁଛନ୍ତି । ମୋଟ ୨୬ଟି ପୁରୁଷ ଓ ୯ଟି ମହିଳା ଦଳ ଏହି ଚାମ୍ପିଅନସିପରେ ଭାଗ ନେଇଛନ୍ତି ।
ଏହି ଅବସରରରେ ଡିଜିପ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ସ୍ୱାଗତ କରିବା ସହିତ ସଫଳତା କାମନା କରିଛନ୍ତି । ନିଜ ଅଭିଭାଷଣରେ ଓଡ଼ିଶା ପୋଲିସ ଦଳର ମନୋବଳ ବଢ଼ାଇଛନ୍ତି । ହକି ପାଇଁ ପରିଚିତ ସୁନ୍ଦରଗଡ଼ ଜିଲ୍ଲା ଉପରେ ଗୁରୁତ୍ୱାରୋପ କରିବା ସହିତ ପଦ୍ମଶ୍ରୀ ଦିଲୀପ ତିର୍କୀ, ଲାଜରସ୍ ବାର୍ଲା, ପ୍ରବୋଧ ତିର୍କୀ, ବୀରେନ୍ଦ୍ର ଲାକ୍ରା ଏବଂ ଲିଲିମା ମିଞ୍ଜଙ୍କ ଭଳି ଅନେକ କିମ୍ବଦନ୍ତୀ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ଉଭୟ ଓଡ଼ିଶା ଓ ଭାରତର ପ୍ରତିନିଧିତ୍ୱ କରି ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି କହିଛନ୍ତି । ଏହି ସହିତ ଡିଜିପି ଖୁରାନିଆ ଓଡ଼ିଶା ପୋଲିସକୁ ଏହି ଗୁରୁଦାୟିତ୍ଵ ପ୍ରଦାନ କରିଥିବାରୁ ସର୍ବ ଭାରତୀୟ ପୋଲିସ କ୍ରୀଡା ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।
ଆଜିର ଏହି ଉଦଘାଟନୀ ସମାରୋହରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ସମସ୍ତ ଟିମର ଅଧିନାୟକ, ଖେଳାଳି ପ୍ରମୁଖ ଉପସ୍ଥିତ ଥିଲେ ।