ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଶ୍ରୀଲଙ୍କା ଗସ୍ତ କରିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ତେବେ ମୋଦୀଙ୍କ ଏହି ଗସ୍ତ ପରେ କଚ୍ଚାଥିବୁ ଦ୍ୱୀପକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ବିରୋଧୀ କଂଗ୍ରେସ ଏବଂ ତାମିଲନାଡୁର ଶାସକ ଦଳ ଡିଏମକେ ସମେତ ଅନେକ ଦଳ ଶ୍ରୀଲଙ୍କା ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇଥିଲେ । ତେବେ ଏହାର ସମାଧାନ କରିବାକୁ ସରକାରଙ୍କ ଉପରେ ଚାପ ପକାଇଥିଲେ । ତେବେ ସମସ୍ତଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି, କ’ଣ ଏହି କଚ୍ଚାଥୀବୁ ଦ୍ୱୀପ, ଏହା ସହିତ ଭାରତର କ’ଣ ସମ୍ପର୍କ ଏବଂ ଏହା କେମିତି ଶ୍ରୀଲଙ୍କ ସରକାରଙ୍କ ଅଧିନକୁ ଗଲା ?
କଚ୍ଚାଥୀବୁ ଦ୍ୱୀପ କ'ଣ ?
ଭାରତର ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ବହୁତ ବଡ଼ ସମୁଦ୍ର ଅଞ୍ଚଳ ଅଛି ଏହି ଅଞ୍ଚଳକୁ ପାକ୍ ପ୍ରଣାଳୀ କୁହାଯାଏ । ଗଭର୍ଣ୍ଣର ରବର୍ଟ ପାକ୍ ଙ୍କ ନାମ ଅନୁସାରେ ପାକ୍ ପ୍ରଣାଳୀ ବୋଲି ନାମିତ କରାଯାଇଥିଲା । ପାକ୍ ପ୍ରଣାଳୀରେ ଅନେକ ଦ୍ୱୀପ ଅଛି, ଯେଉଁଥିରୁ ଗୋଟିଏ ହେଉଛି କଚ୍ଚାଥୀବୁ ଦ୍ୱୀପ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ପାକ୍ ପ୍ରଣାଳୀରେ ୨୮୫ ଏକର ଜମିରେ ବ୍ୟାପି ରହିଛି କଚ୍ଚାଥୀବୁ ଦ୍ୱୀପ । ଏହା ବଙ୍ଗୋପସାଗର ଏବଂ ଆରବ ସାଗରକୁ ସଂଯୋଗ କରେ । ରାମେଶ୍ୱରାମର ଉତ୍ତର-ପୂର୍ବରେ ଅବସ୍ଥିତ ଏହି ବିବାଦୀୟ ଦ୍ୱୀପ ଭାରତଠାରୁ ୨୨ କିଲୋମିଟର ଏବଂ ଶ୍ରୀଲଙ୍କାର ଜାଫ୍ନା ଜିଲ୍ଲା ଠାରୁ ମାତ୍ର ୧୬ କିଲୋମିଟର ଦୂରରେ ଅବସ୍ଥିତ । ଦ୍ୱୀପରେ ସେଣ୍ଟ ଆଣ୍ଟୋନି ଚର୍ଚ୍ଚ ଅଛି । ଚତୁର୍ଦ୍ଦଶ ଶତାବ୍ଦୀରେ ଏକ ଜ୍ୱାଳାମୁଖୀ ଉଦଗିରଣ ପରେ କଚ୍ଚାଥୀବୁ ଦ୍ୱୀପ ସୃଷ୍ଟି ହୋଇଥିଲା ବୋଲି କୁହାଯାଏ । ପୂର୍ବରୁ ଏଠାରେ ଉଭୟ ଭାରତ ଏବଂ ଶ୍ରୀଲଙ୍କାର ମତ୍ସ୍ୟଜୀବୀ ଆସି ବିଶ୍ରାମ ନେଉଥିଲେ ।
ଏହା ଶ୍ରୀଲଙ୍କାକୁ ଗଲା କିପରି ?
ପ୍ରକୃତରେ, ଏହା ୧୭ଶ ଶତାବ୍ଦୀର। ରଘୁନାଥ ଦେବ କିଲାଭନ ନିଜକୁ ରାମନାଦ ରାଜ୍ୟର ସମ୍ରାଟ ଘୋଷଣା କରିଥିଲେ । ଏହି ପରିସ୍ଥିତିରେ, ସେମାନେ କଚ୍ଚାଥିଭୁ ଦ୍ୱୀପ ଉପରେ ରାଜତ୍ୱ କରୁଥିଲେ । ଭାରତ ଏବଂ ଶ୍ରୀଲଙ୍କା ଉଭୟର ମତ୍ସ୍ୟଜୀବୀମାନେ ସମୁଦ୍ରର ଠିକ୍ ମଝିରେ ଅବସ୍ଥିତ କଚ୍ଚାଥିଭୁ ଦ୍ୱୀପକୁ ଆସି ଏଠାରେ ବିଶ୍ରାମ ନେଉଥିଲେ ଏବଂ ସେମାନଙ୍କର ଜାଲ ଶୁଖାଉଥିଲେ । ବ୍ରିଟିଶ ଶାସନ ସମୟରେ, ରାମନାଦ ରାଜ୍ୟ ମାଡ୍ରାସ ପ୍ରେସିଡେନ୍ସିର ଅଂଶ ହୋଇଗଲା। ୧୯୦୨ ମସିହାରେ ବ୍ରିଟିଶମାନେ ଏହି କଚ୍ଚାଥୀବୁ ଦ୍ୱୀପର ନିୟନ୍ତ୍ରଣ ରାମନାଦ ରାଜ୍ୟର ରାଜାଙ୍କୁ ହସ୍ତାନ୍ତର କରିଥିଲେ । ତା’ପରେ ରାମନାଦ ସାମ୍ରାଜ୍ୟର ରାଜା ଏଠାକାର ଲୋକଙ୍କଠାରୁ ଭୂମି ରାଜସ୍ୱ ଆଦାୟ କରିବା ଆରମ୍ଭ କରିଥିଲେ । ଏହାର ପ୍ରତି ବଦଳରେ ବ୍ରିଟିଶ ସରକାରଙ୍କୁ ବିପୁଳ ପରିମାଣର ଟଙ୍କା ମିଳିଥିଲା। ୧୯୧୩ ମସିହାରେ ବ୍ରିଟିଶ ଭାରତ ସରକାରଙ୍କ ସଚିବ ଏବଂ ରାମନାଦ ରାଜ୍ୟର ରାଜାଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତି ଅନୁସାରେ କଚ୍ଚାଥୀବୁ ଦ୍ୱୀପକୁ ଶ୍ରୀଲଙ୍କା ବଦଳରେ ଭାରତର ଏକ ଅଂଶ ଘୋଷଣା କରାଯାଇଥିଲା ।
୧୯୨୧ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ବିବାଦ
୧୯୨୧ ମସିହାରେ ପ୍ରଥମ ଥର ପାଇଁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଚ୍ଚାଥିବୁ ଦ୍ୱୀପକୁ ନେଇ ବିବାଦ ଦେଖା ଦେଇଥିଲା । ସେହି ସମୟରେ ଉଭୟ ଦେଶ ବ୍ରିଟିଶମାନଙ୍କ ଦ୍ୱାରା ଶାସିତ ହେଉଥିଲା । ଏହି ବିବାଦ ସମୟ ସହିତ ବଢ଼ିବାରେ ଲାଗିଲା ।
୧୯୭୪ ଶ୍ରୀଲଙ୍କାକୁ କଚ୍ଚାଥୀବୁକୁ ଟେକି ଦେଲେ ଇନ୍ଦିରା ଗାନ୍ଧୀ
୧୯୭୪ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ସାମୁଦ୍ରିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କଚ୍ଚାଥୀବୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର ହସ୍ତାନ୍ତର କରିଦେଇଥିଲେ । କୁହାଯାଏ କି ଶ୍ରୀଲଙ୍କା ସହିତ ଶାନ୍ତି ବଜାୟ ରଖିବା ଏବଂ ଦକ୍ଷିଣ ଏସିଆରେ ନିଜର ପ୍ରାଦୁର୍ଭାବ ବଢ଼ାଇବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେତେବେଳେ ତାମିଲନାଡ଼ୁ ସରକାର ଏହାକୁ ତୀବ୍ର ବିରୋଧ କରିଥିଲେ । ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧି ଏହି ନିଷ୍ପତ୍ତିକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ଏହି ଦ୍ୱୀପ ଐତିହାସିକ ଭାବରେ ରାମନାଦ ସାମ୍ରାଜ୍ୟର ସମ୍ପତ୍ତିର ଏକ ଅଂଶ। ଏହାକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯିବା ଉଚିତ୍ ନୁହେଁ ।
ଭାରତୀୟ ମତ୍ସଜୀବୀଙ୍କ ଉପରେ ଆରମ୍ଭ ହେଲା ଅତ୍ୟାଚାର
ଏହି ଦ୍ୱୀପକୁ ଶ୍ରୀଲଙ୍କ ନେବା ପରେ ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ବିଶ୍ରାମ ନେବା, ଜାଲ ଶୁଖାଇବା ଏବଂ ଚର୍ଚ୍ଚରେ ପ୍ରାର୍ଥନା କରିବାର ଅନୁମତି ଦିଆଯାଇଥିଲା । କିନ୍ତୁ ଏହି ସୁଯୋଗ ମାତ୍ର ଅଳ୍ପ କିଛି ଦିନ ପାଇଁ ଥିଲା । କିଛି ବର୍ଷ ପରେ ଶ୍ରୀଲଙ୍କ ସରକାର ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ କଟକଣା ଲାଗୁ କରିଦେଲେ । ଏହା ପରେ ୨୦୦୯ ମସିହାରୁ, ଶ୍ରୀଲଙ୍କା ନୌସେନା ସେଠାକୁ ଯାଉଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ଆରମ୍ଭ କରିଦେଲା । ସେବେଠାରୁ ଏହି ଦ୍ୱୀପକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି । ତାମିଲନାଡ଼ୁ ମତ୍ସ୍ୟଜୀବୀମାନେ ନିଜର ଅଧିକାର ପାଇଁ ଦାବି କରୁଛନ୍ତି ।
ଏହାକୁ ନେଇ ୨୦୦୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ସୁପ୍ରିମକୋର୍ଟରେ ଯାଚିକା ଦେଇଥିଲା । ଏହି ଚୁକ୍ତିକୁ ବାତିଲ କରିବାକୁ ଦାବି କରିଥିଲେ । ସେହିପରି ୨୦୨୩ରେ ମଧ୍ୟ ଏମ୍.କେ ଷ୍ଟାଲିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ।