ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ବଡ଼ ଝଟକା। ସୋମବାର ପେଟ୍ରୋଲ-ଡିଜେଲ୍ ଉପରେ ୨ ଟଙ୍କା ଲେଖାଏଁ ଉତ୍ପାଦ ଶୁଳ୍କ ବଢାଇବା ପରେ କେନ୍ଦ୍ର ସରକାର ଏଲପିଜି ଗ୍ୟାସ ସିଲିଣ୍ଡରରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ସିଲିଣ୍ଡର ଦରବୃଦ୍ଧି ଆଜି ରାତି ୧୨ଟାରୁ ଲାଗୁ ହେବ। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୫ ଏପ୍ରିଲ ୮ ତାରିଖଠୁ ଏଲପିଜି ଗ୍ୟାସ ସିଲିଣ୍ଡର ଦାମରେ ୫୦ ଟଙ୍କା ବୃଦ୍ଧି କରାଯାଉଛି। ଏହି ବୃଦ୍ଧି ଉଜ୍ଜ୍ଵଳା ଯୋଜନା ଓ ଅଣ ଉଜ୍ଜ୍ଵଳା ସମସ୍ତ ଉପଭୋକ୍ତାଙ୍କ ଉପରେ ଲାଗୁ ହେବ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଓଜ୍ଜ୍ଵଳା ଯୋଜନା()ର ଉପଭୋକ୍ତାଙ୍କ ପାଇଁ ଗ୍ୟାସ୍ ଦାମ ୫୦୦ ଟଙ୍କାରୁ ବଢି ୫୫୦ ଟଙ୍କା ହୋଇଯିବ। ଅନ୍ୟ ଗ୍ରାହକଙ୍କ ପାଇଁ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୮୦୩ ଟଙ୍କାରୁ ୭୫୩ ଟଙ୍କାକୁ ବୃଦ୍ଧି ଘଟିବ। ଉଲ୍ଲେଖନୀୟ PMUY ଆଧାରରେ ଗରିବଙ୍କୁ ମାଗଣା ଗ୍ୟାସ୍ କନେକ୍ସଦନ ଦିଆଯାଇଥାଏ। ଯଦ୍ଵାରା ମହିଳାଙ୍କୁ ଧୂଆଁରୁ ମୁକ୍ତି ମିଳି ପାରିବ। ବିଶେଷ କରି ଏହାର ଫାଇଦା ମହିଳାଙ୍କୁ ମିଳିଥାଏ। ଏବେ ଗ୍ୟାସ୍ ପାଇଁ ଉପଭୋକ୍ତାଙ୍କୁ ଅଧିକ ୫୦ ଟଙ୍କା ଦେବାକୁ ପଡ଼ିବ।
ସୂଚନାଯୋଗ୍ୟ, ଏହା ପୂର୍ବରୁ କେନ୍ଦ୍ର ସରକାର ସୋମବାର ପେଟ୍ରୋଲ ଓ ଡିଜେଲ୍ ଉପରେ ୨ ଟଙ୍କା ଲେଖାଏଁ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି। କିନ୍ତୁ ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ ନାହିଁ। ଅର୍ଥାତ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଘଟିବ ନାହିଁ। କିନ୍ତୁ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଆଗାମୀ ସମୟରେ ଏହି ଦାମ ବୃଦ୍ଧିର ଆମେ ସମୀକ୍ଷା କରିବୁ।