ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ସାଂଘାଇ ସହଯୋଗ ସଂଗଠନ(ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ଶିଖର ସମ୍ମିଳନୀରେ ଚୀନ ସାମ୍ନାରେ ହିଁ ପାକିସ୍ତାନକୁ ଭଲ କି ଶୁଣାଇଛନ୍ତି । ଜୟଶଙ୍କର ନାଁ ନ ନେଇ କହିଛନ୍ତି ଭାରତ ଆତଙ୍କବାଦକୁ କଦାପି ବରଦାସ୍ତ କରିବ ନାହିଁ ଏବଂ ନିଜର ନୀତିରେ ଚାଲି ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ । ସେ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଓ ଉଗ୍ରବାଦକୁ ତିନି ଦାନବ ଦର୍ଶାଇଛନ୍ତି । ଏହି ତିନି ଚ୍ୟାଲେଞ୍ଜର ମୁକାବିଲା ପାଇଁ ନିଜ ଉଦ୍ଦେଶ୍ୟରେ ଅଟଳ ରହିବା ଜରୁରୀ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି ।
ଜୟଶଙ୍କର ମଙ୍ଗଳବାର ବେଜିଂରେ ସଂଗଠନର ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକୁ ସମ୍ବୋଧିତ କରି କହିଛନ୍ତି ଯେ, ସଂଗଠନର ସ୍ଥାପନା ଆତଙ୍କବାଦ, ବିଚ୍ଛିନ୍ନତାବାଦ ଓ ଉଗ୍ରବାଦର ଚ୍ୟାଲେଞ୍ଜର ମୁକାବିଲା ପାଇଁ କରାଯାଇଥିଲା । ଜମ୍ମୁ-କାଶ୍ମୀରର ପହଲଗାମରେ ନୃଶଂସ ଆତଙ୍କବାଦୀ ହମଲାର ଉଲ୍ଲେଖ କରି ସେ କହିଛନ୍ତି ଯେ, ଏହି ତିନି ଚ୍ୟାଲେଞ୍ଜ ସର୍ବଦା ଏକ ସଙ୍ଗେ ଆସିଥାଏ । ଏହି ହମଲା ଜାଣିଶୁଣି ଜମ୍ମୁ-କାଶ୍ମୀରର ପର୍ଯ୍ୟଟନ ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ଏବଂ ଧର୍ମ ଆଧାରରେ ବିଭାଜନ ବଢାଇବା ଉଦ୍ଦେଶ୍ୟରେ କରାଯାଇଥିଲା ।
ଜୟଶଙ୍କର କହିଛନ୍ତି, ସାଂଘାଇ ସହଯୋଗ ସଂଗଠନର କିଛି ସଦସ୍ୟ, ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟ ମଧ୍ୟ ଏହି ହମଲାର କଡା ନିନ୍ଦା କରିଛନ୍ତି । ସୁରକ୍ଷା ପରିଷଦ ମଧ୍ୟ ଆତଙ୍କବାଦର ଏହି ନିନ୍ଦନୀୟ କୃତ୍ୟର ଅପରାଧିକ, ପୃଷପୋଷକ ଦେଶକୁ ଉତ୍ତରଦାୟୀ କରିବା ଓ ନ୍ୟାୟର କାଠଗଡାକୁ ଆଣିବାର ଆବଶ୍ୟକତା ଉପରେ ଜୋର ଦେଇଥିଲା । ଭାରତ ଏହି ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଆଗକୁ ମଧ୍ୟ ଏମିତି କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି ଜୟଶଙ୍କର କହିଛନ୍ତି ।