ଭୁବନେଶ୍ଵର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛି । ଏହି ଚାରି ଜଣିଆ କମିଟିରେ ନୂଆଦିଲ୍ଲୀସ୍ଥିତ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ଵବିଦ୍ୟାଳୟ ଓ ୟୁଜିସି ସଦସ୍ୟ ପ୍ରଫେସର ରାଜ୍ ମିତ୍ତଲ ଅଧ୍ୟକ୍ଷତାରେ କରିବେ । ୟୁଜିସି ପକ୍ଷରୁ ଏନେଇ ମଙ୍ଗଳବାର ନିର୍ଦ୍ଦେଶନାମା ଜାରି ହୋଇଛି ।
କମିଟିରେ ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ସୁଷମା ଯାଦବ, ଅହମଦାବାଦସ୍ଥିତ ଗୁଜରାଟ ବିଶ୍ଵବିଦ୍ୟାଳୟର କୁଳପତି ଡ. ନୀର୍ଜା ଗୁପ୍ତା ସଦସ୍ୟ ରହିଥିବା ବେଳେ ୟୁଜିସିର ଯୁଗ୍ମ ସଚିବ ଡ. ଅସୀମା ମଙ୍ଗଳା ସଂଯୋଜକ ଅଧିକାରୀ ଅଛନ୍ତି । କମିଟି ସୌମ୍ୟାଶ୍ରୀଙ୍କ ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ରିପୋର୍ଟ ପ୍ରସ୍ତୁତ କରିବେ । ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୟୁଜିସି ନିର୍ଦ୍ଦେଶ ଦେଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏଫ୍ ଏମ୍ କଲେଜର ଏଜୁକେସନ ବିଭାଗ ମୁଖ୍ୟ ଆସିଷ୍ଟାଣ୍ଟ୍ ପ୍ରଫେସର ସମୀର ସାହୁଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ନ୍ୟାୟ ନ ମିଳିବାରୁ ଗତ ଶନିବାର ସୌମ୍ୟାଶ୍ରୀ ପ୍ରିନ୍ସିପାଲଙ୍କ ଚାମ୍ବର ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମ ଦାହ ଉଦ୍ୟମ କରିଥିଲେ । ତେବେ ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି ।