ବାକ୍ ସ୍ୱାଧୀନତା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ନାଗରିକମାନେ ବାକ୍ ସ୍ୱାଧୀନତାର ମୂଲ୍ୟ ଜାଣିବା ଉଚିତ୍ । ବାକ୍ ସ୍ୱାଧିନତା ଗୁରୁତ୍ୱପୂର୍ଣ୍ଣ, ହେଲେ ଲୋକମାନେ ନିଜ କଥାରେ ସଂଯମତା ରକ୍ଷା କରିବା ଉଚିତ୍। ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥଙ୍କ ଖଣ୍ଡପୀଠରେ ୱାଜାହତ ଖାନଙ୍କ ଆବେଦନର ଶୁଣାଣି ଚାଲିଥିଲା । ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲି ସୋସିଆଲ ମିଡ଼ିଆରେ ଅପରେସନ୍ ସିନ୍ଦୂରକୁ ନେଇ କିଛି ବିବାଦୀୟ ଭିଡିଓ ପୋଷ୍ଟ କରିଥିବାରୁ ଏହାକୁ ବିରୋଧ କରି ୱାଜାହତ୍ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ଶର୍ମିଷ୍ଠା ଗିରଫ ହୋଇଥିଲେ । କିନ୍ତୁ ପରେ ୱାଜାହତଙ୍କ କିଛି ବିବାଦୀୟ ଟ୍ୱିଟ୍ ପାଇଁ ତାଙ୍କ ବିରୁଦ୍ଧରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପୋଲିସରେ ମାମଲା ମଧ୍ୟ ରୁଜୁ ହେଲା । ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହରିୟାଣା ଏବଂ ଦିଲ୍ଲୀ ସମତେ ୬ଟି ରାଜ୍ୟରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବାରୁ ସେ ସମସ୍ତ ମାମଲାକୁ ଏକାଠି କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।
ଜଷ୍ଟିସ୍ ନାଗରତ୍ନା ଶୁଣାଣି ସମୟରେ କହିଛନ୍ତି, ଆମେ ନାଗରିକଙ୍କ ସଂକ୍ରାନ୍ତରେ କହୁଛି, ଯଦି ସେମାନେ ବାକ୍ ସ୍ୱାଧୀନତାକୁ ଉପଭୋଗ କରିବାକୁ ଚାହାନ୍ତି ତେବେ ସେମାନଙ୍କୁ ସଂଯମତା ରକ୍ଷା କରିବାକୁ ପଡ଼ିବ । ସେମାନେ ସ୍ୱାଧୀନତାକୁ ଏଭଳି ଭାବେ ଦୁରୁପଯୋଗ ବା ଅପବ୍ୟବହାର କରିପାରିବେନି । ଅନ୍ୟପଟେ ସୁପ୍ରିମକୋର୍ଟ କହିଛନ୍ତି, 'କେହି ଚାହାଁନ୍ତି ନାହିଁ ଯେ ରାଜ୍ୟ (ସରକାର) ଏପରି ମାମଲାରେ ହସ୍ତକ୍ଷେପ କରନ୍ତୁ।' ତେଣୁ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ଲୋକମାନେ ନିଜେ ଦାୟିତ୍ୱ ନିଅନ୍ତୁ ଏବଂ ସାମାଜିକ ଗଣମାଧ୍ୟମ କିମ୍ବା ଅନ୍ୟ ପ୍ଲାଟଫର୍ମରେ ଏପରି କିଛି ନ କୁହନ୍ତୁ ଯାହା ସମାଜରେ ଉତ୍ତେଜନା ସୃଷ୍ଟି କରେ।
ସୁପ୍ରିମକୋର୍ଟ ଭାଇଚାରା ଏବଂ ଏକତା ଉପରେ କରିଥିଲେ ଗୁରୁତ୍ୱାରୋପ
ସର୍ବୋଚ୍ଚ ନ୍ୟାୟାଳୟ ନାଗରିକମାନଙ୍କ ମଧ୍ୟରେ ଭାଇଚାରାର ଭାବନା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଏବଂ କହିଛନ୍ତି ଯେ ଆଜିର ସମୟରେ ଯେତେବେଳେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ନାଗରିକମାନେ ଭାବିଚିନ୍ତି କଥାବାର୍ତ୍ତା କରିବା ଉଚିତ। ଶୁଣାଣି ସମୟରେ, କୋର୍ଟ କହିଥିଲେ, 'ଆମେ ଅଭିବ୍ୟକ୍ତି ସ୍ୱାଧୀନତା ବିରୋଧରେ ନାହୁଁ, କିନ୍ତୁ ସମ୍ବିଧାନରେ ଏହା ଉପରେ ପୂର୍ବରୁ ଯୁକ୍ତିଯୁକ୍ତ ସୀମା ରହିଛି ଏବଂ ଲୋକମାନେ ଏହି ସୀମା ପାଳନ କରିବା ଉଚିତ।'