ସିମଲା: ବିଗତ କିଛି ଦିନ ହେଲା ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ନୃତ୍ୟ ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମଙ୍ଗଳବାର ସୋଲାନ, ସିମଲା ଏବଂ ସିରମୌରରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଉନା, ବିଳାସପୁର, କାଙ୍ଗଡ଼ା, କୁଲ୍ଲୁ ଏବଂ ମାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଜୁଲାଇ ୧୭ ଏବଂ ୧୮ରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ଅଛି।
ଗତମାସ ୨୦ରୁ ଜୁଲାଇ ୧୩ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ବର୍ଷା ଯୋଗୁଁ ପର୍ଯ୍ୟନ୍ତ ୯୮ ଜଣଙ୍କର ମୃତ୍ୟୁ ହୋଇଛି। ୫୭ ବର୍ଷାଜନିତ ଘଟଣାରେ ୧୭୮ ଜଣ ଆହତ ହୋଇଛନ୍ତି ଏବଂ ୪୧ଟି ସଡ଼କ ଦୁର୍ଘଟଣା ଘଟିଛି, ୩୪ ଜଣ ନିଖୋଜ ଅଛନ୍ତି। ରାଜ୍ୟରେ ୩୧ଟି ବନ୍ୟା, ୨୨ ଥର ବାଦଲଫଟା ବର୍ଷା ଓ ୧୮ଟି ଭୂସ୍ଖଳନ ହୋଇଛି।
ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୩୮୪ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୬୬୨ ଘର, ୧୮୮ ଦୋକାନ ଏବଂ ୭୯୮ ଗୋଶାଳା କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟରେ ୭୪୫ ଜଳ ଯୋଜନା ବନ୍ଦ ଅଛି, ଯେଉଁଥିରୁ କାଙ୍ଗଡ଼ାରେ ୬୧୨ ଏବଂ ମଣ୍ଡିରେ ୧୩୩ ଯୋଜନା ପ୍ରଭାବିତ ହୋଇଛି।
ରାଜ୍ୟରେ ୧୯୨ ରାସ୍ତା ବନ୍ଦ ଅଛି ଏବଂ ୬୫ ଟ୍ରାନ୍ସଫର୍ମର ଅଚଳ। ମଣ୍ଡିରେ ୫୯, ଚମ୍ବାରେ ପାଞ୍ଚ ଏବଂ କୁଲୁରେ ଗୋଟିଏ ଟ୍ରାନ୍ସଫର୍ମର ଅଚଳ ହେବା ଯୋଗୁଁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ବନ୍ଦ ରାସ୍ତା ଖୋଲି ବିଦ୍ୟୁତ ଏବଂ ଜଳ ଯୋଗାଣ ପୁନଃସ୍ଥାପିତ କରିବାକୁ ପ୍ରୟାସ ଜାରି ରହିଛି।
ଅଧିକ ପଢ଼ନ୍ତୁ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛର କାହାଣୀ