ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ ତାରିଖରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ହତ୍ୟାକାଣ୍ଡ ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିଲେ। ଏହି ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାକିସ୍ତାନର ରାଜନୈତିକ ଏବଂ ସାମରିକ ଅଧିକାରୀଙ୍କ ସମ୍ମତିରେ ଯୋଜନା କରାଯାଇଥିଲା। ସୂତ୍ର ଅନୁସାରେ ଆଇଏସ୍ଆଇ ଲସ୍କରକୁ ଆକ୍ରମଣ କରିବା ପାଇଁ କେବଳ ବିଦେଶୀ ଆତଙ୍କବାଦୀଙ୍କୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲା। ସ୍ଥାନୀୟ ସ୍ତରରେ କୌଣସି ସୁରାକ ନମିଳିବା ପାଇଁ କଶ୍ମୀର ଆତଙ୍କବାଦୀମାନଙ୍କୁ ଏହି ଅପରେସନରୁ ଦୂରରେ ରଖାଯାଇଥିଲା।
ରିପୋର୍ଟ ଅନୁଯାୟୀ, ଲସ୍କର କମାଣ୍ଡର ସାଜିଦ ଜାଟ୍ଟଙ୍କୁ ଜମ୍ମୁ କଶ୍ମୀରରେ ବିଦେଶୀ ଆତଙ୍କବାଦୀଙ୍କୁ ନିୟୋଜିତ କରିବାର ଦାୟିତ୍ୱ ଦିଆଯାଇଥିଲା। ଆକ୍ରମଣ କରିଥିବା ଗୋଷ୍ଠୀର ନେତୃତ୍ୱ ସୁଲେମାନ ନାମକ ଜଣେ ଆତଙ୍କବାଦୀ ନେଇଥିଲେ, ଯିଏ ପାକିସ୍ତାନର ସ୍ୱତନ୍ତ୍ର ବାହିନୀର ପୂର୍ବତନ କମାଣ୍ଡୋ ବୋଲି ସନ୍ଦେହ କରାଯାଉଛି। କୁହାଯାଉଛି ଯେ ୨୦୨୨ ମସିହାରେ ଜମ୍ମୁରେ ଅନୁପ୍ରବେଶ କରିବା ପୂର୍ବରୁ ସେ ଲସ୍କରର ମୁରିଦକେ ଘାଟିରେ ତାଲିମ ମଧ୍ୟ ନେଇଥିଲା।
ସାଟେଲାଇଟ୍ ଫୋନ୍ ବିଶ୍ଳେଷଣ ଉପରେ ଆଧାର କରି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏପ୍ରିଲ ୧୫ ତାରିଖରେ ସୁଲେମାନର ଲୋକେସନ୍ କଶ୍ମୀରର ତ୍ରାଲ୍ ଅଞ୍ଚଳରେ ମିଳିଥିଲା, ଯାହା ସୂଚାଇ ଦିଏ ଯେ ସେ ଆକ୍ରମଣର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ବୈସାରନ୍ ଉପତ୍ୟକାରେ ପହଞ୍ଚିଥିଲେ।
ଗତ ଏପ୍ରିଲ ୨୨ ତାରିଖରେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ କଡ଼ା ପ୍ରତିଶୋଧ ନେଇ ମେ’ ମାସ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ୍ ଅନ୍ତର୍ଗତ, ଭାରତୀୟ ସେନା ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା। ସେନା ଅତ୍ୟନ୍ତ ଗୋପନୀୟ ଭାବରେ ଅପରେସନ୍ କରିଥିଲା, ଯାହା ଯୋଗୁଁ ପାକିସ୍ତାନକୁ ପୁନର୍ବାର ଫେରିବାର ସୁଯୋଗ ମଧ୍ୟ ମିଳିଲା ନାହିଁ।
ଅଧିକ ପଢ଼ନ୍ତୁ: ଚୀନ ରାଷ୍ଟ୍ରପତିଙ୍କୁ ମୋଦୀଙ୍କ ବାର୍ତ୍ତା ଦେଲେ ଜୟଶଙ୍କର