ନୂଆଦିଲ୍ଲୀ: ଆମ ଦେଶରେ ସବୁ ପ୍ରସଙ୍ଗରେ ରାଜନୀତି ହେବା ଏକ ସାଧାରଣ କଥାରେ ପରିଣତ ହୋଇ ସାରିଛି । କ୍ରୀଡାଠୁ ନେଇ ମନୋରଞ୍ଜନ ସବୁ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପର ନଜିର ରହିଛି । କିନ୍ତୁ କେବେ ଆପଣ ଦେଖିଛନ୍ତି କି, ଇସ୍ରୋ ଓ ମହାକାଶ ଗବେଷଣା ପ୍ରସଙ୍ଗରେ ବି ରାଜନୀତି କରାଯାଏ । ହଁ ଆଜ୍ଞା ଏବେ ଶୁଭାଂଶୁ ଶୁକ୍ଳାଙ୍କୁ କାହିଁକି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ପଠାଗଲା ତାକୁ ନେଇ ଆପତ୍ତି ଉଠାଇଛନ୍ତି କଂଗ୍ରେସ ନେତା ।
ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ(ଆଇଏସଏସ)ରେ ପ୍ରାୟ ଦୁଇ ସପ୍ତାହ ବିତଇବା ପରେ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ପୃଥିବୀକୁ ଫେରୁଛନ୍ତି । ମଙ୍ଗଳବାର ସେ ପୃଥିବୀ ପୃଷ୍ଠରେ ଅବତରଣ କରି ପାରନ୍ତି । ଏହା ମଧ୍ୟରେ କଂଗ୍ରେସ ନେତା ଉଦିତ ରାଜ ମହାକାଶ ଯାତ୍ରା ପାଇଁ ଶୁଭାଂଶୁଙ୍କ ଚୟନ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଶୁକ୍ଳାଙ୍କ ସ୍ଥାନରେ କୌଣସି ଦଳିତଙ୍କୁ ଆଇଏସଏସକୁ ପଠାଯାଇ ପାରିଥାନ୍ତା ।
ଉଦିତ ରାଜ କହିଛନ୍ତି, ମୁଁ ଶୁଭାଂଶୁ ଶୁକ୍ଳାଙ୍କୁ ଶୁଭକାମନା ଜଣାଉଛି ଯେ ସେ ସୁରକ୍ଷିତ ଫେରନ୍ତୁ ଏବଂ ଯାହା ବି ଜ୍ଞାନ ସେ ଅର୍ଜନ କଲେ ତାହା ଭାରତ ଆସି ସମସ୍ତଙ୍କୁ ଶିଖାନ୍ତୁ । ଏହା ମାନବତା ପାଇଁ ବହୁ ଜରୁରୀ । ପ୍ରଥମେ ରାକେଶ ଶର୍ମାଙ୍କୁ ଯେତେବେଳେ ମହାକାଶ ପଠାଗଲା ସେହି ସମୟରେ ଏସସି ଏସଟି ଲୋକେ ଏତେ ଶିକ୍ଷିତ ନ ଥିଲେ । ଏଥର ମୋତେ ଲାଗୁଛି କୌଣସି ପଛୁଆ କିମ୍ବା ଦଳିତଙ୍କୁ ମହାକାଶ ପଠାଇବାର ଥିଲା । କେହି ତ ପରୀକ୍ଷା ଦେଇ ଯାଇ ନାହାନ୍ତି । ନା ନାସାରେ କୌଣସି ପରୀକ୍ଷା ପରେ ଶୁକ୍ଳାଙ୍କ ଚୟନ କରାଗଲା । କୌଣସି ଦଳିତଙ୍କୁ ମଧ୍ୟ ଶୁକ୍ଳା ଜୀଙ୍କ ସ୍ଥାନରେ ପଠାଯାଇ ପାରିଥାନ୍ତା ।
ସୂଚନାଯୋଗ୍ୟ, ପ୍ରାୟ ୧୮ ଦିନ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ଅଲଗା ହେବା ପରେ ଆକ୍ସିଅମ୍-୪ ମିଶନର ମହାକାଶଯାନ ଡ୍ରାଗନ୍ ଦ୍ରୁତଗତିରେ ପୃଥିବୀ ଆଡକୁ ଗତି କରୁଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କ ଦଳ ଏହି ମିଶନରେ ବାହାରିଥିଲେ। ଦେଶବାସୀ ସେମାନଙ୍କର ଫେରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରତ୍ୟେକ ବିପଦକୁ ଅତିକ୍ରମ କରି ସେ ଆଜି ଧରାପୃଷ୍ଠରେ ଅବତରଣ କରିବେ।