କଟକ: ଆସ୍ଥା, ବିଶ୍ୱାସ, ସ୍ନେହ ଏବଂ ସମ୍ପ୍ରତ୍ତି ବଳରେ ଶିଳା ଶାଳଗ୍ରାମ ପାଲଟିଯାଏ । ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟ ଶାଳଗ୍ରାମ ପାଲଟିଯାଇଛି । ରେଭେନ୍ସା କେବଳ ଇଟା ପଥରରେ ଗଢ଼ା ଏକ ନିର୍ଜୀବ ଇମାରତ (କୋଠା) ନୁହେଁ ବରଂ ଓଡ଼ିଶାର ଜୀବନ୍ତ ଇତିହାସ । ଏହାର ପ୍ରାଣ ସ୍ପନ୍ଦନ ରହିଛି । ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କ ସମ୍ବୋଧନ କରି କହିଛନ୍ତି, ରେଭେନ୍ସା କେବଳ ଇତିହାସର ମୂକ ସାକ୍ଷୀ ନୁହେଁ । ଓଡ଼ିଶା ଓ ଭାରତ ଇତିହାସର ସକ୍ରିୟ ଅଂଶୀଦାର । ଏହି ମହାନ ଶିକ୍ଷାନୁଷ୍ଠାନ ସ୍ୱାଧୀନତା ସଂଗ୍ରାମ ସହିତ ଓତଃପ୍ରତଃ ଭାବେ ଜଡ଼ିତ । ଏହା ଶିକ୍ଷା ବିକାଶ ଏବଂ ନାରୀ ଜାଗ୍ରୃତିର ଏକ ପ୍ରମୁଖ କେନ୍ଦ୍ର ହୋଇ ରହି ଆସିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ଜୀବନ ଏବଂ ସମାଜ ବିଷୟରେ ସଫଳତା ହାସଲ ବୋଲି ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି । ସଫଳତାର ଅର୍ଥ ଚାକିରୀ କରିବା ନୁହେଁ, ଚାକିରୀ ଦେବା । ବାଣିଜ୍ୟ ଏବଂ ବ୍ୟବସାୟ ପ୍ରତିଷ୍ଠା କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଠ ବୈଜ୍ଞାନିକ ଡାକ୍ତର ଅଜିତ କୁମାର ମହାନ୍ତି, ସାଂସଦ ଭର୍ତ୍ତୃହରି ମହତାବ, ପରିବେଶବିତ ସୁଶ୍ରୀ ସାବରମତୀ ଏବଂ ଦୃଷ୍ଟି ବାଧିତଙ୍କ ସମର୍ପିତ ଥିବା ବିଜୟ କୁମାର ରଥଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି 300ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପଦକ ପ୍ରଦାନ କରାଯାଇଛି ।
ସମାବର୍ତ୍ତନ ଉତ୍ସବରେ କୁଳାଧିପତି ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗ ଦେଇଛନ୍ତି ।