ବାଲେଶ୍ୱର: ଫକୀର ମୋହନ ମହାବିଦ୍ୟାଳୟରେ ଆତ୍ମହୁତି ଦେଇଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ସମସ୍ତେ ସମସ୍ତଙ୍କ ଉପରେ ଦୋଷ ଲଦାଲଦି ହେଉଛନ୍ତି । ଗୋଟେ ପଟେ ଝିଅକୁ ହରାଇ ପରିବାର ଲୋକେ କାନ୍ଦୁଥିବାବେଳେ ଅନ୍ୟପଟେ ରାଜନୀତି କରାଯାଉଛି । ଏହି ସମୟରେ ସୌମ୍ୟାଶ୍ରୀଙ୍କ ବାପା ପ୍ରତିକ୍ରିୟାରେ କହିଛନ୍ତି ଯେ, " ମୋ ଝିଅକୁ ନେଇ ରାଜନୀତି କରାନଯାଉ । ମୋ ଝିଅ ଚାଲିଯାଇଛି, ତେଣୁ ତାକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ । ଆଉ କିଛି ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦ ମିନିଟ୍ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହିତ ଆଲୋଚନା କରିଥିଲେ । ଝିଅ ବଞ୍ଚିବା ପାଇଁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥନା କରିଥିଲେ । ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ମୁଁ ଲଢ଼େଇ ଜାରି ରଖିବି ବୋଲି କହିଥିଲେ" ।
ତୁରନ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି । ଦୋଷୀକୁ କଠୋର ଦଣ୍ଡ ମିଳିବ । ଯେଉଁମାନେ ବି ଏହି ଘଟଣାରେ ସଂପୃକ୍ତ ଅଛନ୍ତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।
ସୂଚନା ଯୋଗ୍ୟ, ଗତ ଶନିବାର (୧୨ ତାରିଖ)ରେ ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଜୀବନ ହରିବାକୁ ଉଦ୍ୟମ କରି ନିଜ ଦେହରେ ନିଆଁ ସୌମ୍ୟାଶ୍ରୀ ବିଶି ଲଗାଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗତକାଲି ବିଳମ୍ବିତ ରାତି ୧୧ଟା ୪୬ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୌମ୍ୟାଶ୍ରୀଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀରକୁ ଗାଁକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।