ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । କଂଗ୍ରେସ ଓ ବିଜେଡ଼ି ଅଯଥା ରାଜନୀତି କରୁଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଜେଡ଼ି ସରକାରରେ କେତେ ଜଣ ଇସ୍ତଫା ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ସରକାର ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ମନ୍ତ୍ରୀ କହିଛନ୍ତି, ବିଜେଡି ୨୪ ବର୍ଷ ସରକାରରେ ଥିବାବେଳେ ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ନଥିଲେ । ବେବିନା ଏବଂ କୁନ୍ଦୁଲି ଘଟଣାରେ ଆକ୍ସନ ନେଇ ନଥିଲେ । ଦୋଷୀମାନେ ଖୁଲମ ଖୁଲା ବୁଲୁଥିଲେ । ପୂର୍ବ ସରକାର ଲୋକଙ୍କୁ ନ୍ୟାୟ ଦେଲେ ନାହିଁ । ବିଜେପି ସରକାର ତୁରନ୍ତ ଆକ୍ସନ ନେଉଛନ୍ତି । ସୌମ୍ୟାଶ୍ରୀଙ୍କ ଘଟଣାରେ ୧୨ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କାହାକୁ ଛଡା ଯିବ ନାହିଁ । ଅପରାଧ ଏବଂ ଅପରାଧୀଙ୍କୁ ସରକାର ଦୃଢ଼ ହସ୍ତରେ ଦମନ କରୁଛନ୍ତି । ବିରୋଧୀ ଅଯଥାରେ ଶସ୍ତା ରାଜନୀତି କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।
ସେହିପରି ଅତୀତ ସରକାର ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିନଥିଲା । ବିଜେଡି ୨୪ ବର୍ଷ ସରକାରରେ କେତେ ଜଣ ଇସ୍ତଫା ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଦିବ୍ୟ ଶଙ୍କର ମିଶ୍ର ଏବଂ ପ୍ରତାପ ଜେନା ଇସ୍ତଫା ଦେଇଥିଲେ କି ? ତେଣୁ ସେମାନେ ଅଜଥା କଥା କହି କିଛି ଲାଭ ନାହିଁ । କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇଲେ କି ? କିନ୍ତୁ ବିଜେପି ସରକାର ତ୍ୱରିତ୍ଵ ନ୍ୟାୟ ଉପରେ ଗୁରୁତ୍ୱ ଦେଉଥିବାବେଳେ ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଅତୀତରେ କୌଣସି ସରକାର ନେଇନାହାନ୍ତି ।
ମାମଲାରେ ଯିଏ ଦୋଷୀ ଥିବେ ସେ ଦଣ୍ଡ ପାଇବେ । ଅନ୍ୟକୁ ବୁଦ୍ଧି ଶିଖାଉଛନ୍ତି, ନିଜ ବେଳକୁ ବୁଦ୍ଧି ଆସୁନଥିଲା । ରାଜରାସ୍ତାକୁ ଆସିବାକୁ ମନା ନାହିଁ । ମୋହନ ଚରଣ ମାଝୀ ସରକାର ଅପରାଧକୁ ବରଦାସ୍ତ କରିବେ ନାହିଁ ବୋଲି ସଫା ସଫା କହିଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର ।