ନୂଆଦିଲ୍ଲୀ: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ପରେ ରାଜନୀତି ସରଗରମ ହୋଇଛି । ଉଭୟ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସିଧାସଳଖ ପ୍ରଶାସନିକ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ବ୍ୟବସ୍ଥା ଦ୍ୱାରା ଏହା ସଂଗଠିତ ହତ୍ୟା ବୋଲି କହିଛନ୍ତି ରାହୁଲ । ଯାହାର କଡ଼ା ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାହୁଲ ଏକ୍ସରେ କହିଛନ୍ତି, ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ବିଜେପି ବ୍ୟବସ୍ଥା ଦ୍ୱାରା ଏକ ସିଧାସଳଖ ହତ୍ୟା । ଛାତ୍ରୀ ଜଣକ ଯୌନ ଶୋଷଣ ବିରୁଦ୍ଧରେ ସ୍ୱର ଉଠାଇଥିଲେ, କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା । ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା କଥା, ସେମାନେ ତାଙ୍କୁ ଭାଙ୍ଗି ଚାଲିଥିଲେ। ପ୍ରତ୍ୟେକ ଥର ପରି, ବିଜେପି ବ୍ୟବସ୍ଥା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଚାଲିଥିଲା ଏବଂ ଏକ ନିର୍ଦ୍ଦୋଷ ଝିଅକୁ ନିଜକୁ ଜାଳି ଦେବାକୁ ବାଧ୍ୟ କରିଥିଲା । ଏହା ଆତ୍ମହତ୍ୟା ନୁହେଁ, ଏହା ବ୍ୟବସ୍ଥା ଦ୍ୱାରା ଏକ ସଂଗଠିତ ହତ୍ୟା ବୋଲି କହିଛନ୍ତି ରାହୁଲ । ଚୁପ ନ ରହି ଭାରତର ଝିଅମାନଙ୍କୁ ସୁରକ୍ଷା ଏବଂ ନ୍ୟାୟ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି ।
ତେବେ ରାହୁଲଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଓଡ଼ିଶା ଝିଅ ସହିତ ଘଟଣାକୁ ନେଇ ରାହୁଲଙ୍କ ଏହା ଆଉ ଏକ ଶସ୍ତା ରାଜନୀତି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଏକ ଗମ୍ଭୀର ଏବଂ ସମ୍ବେଦନଶୀଳ ଘଟଣାକୁ ରାଜନୈତିକ ଅସ୍ତ୍ର କରିବା ରାହୁଲ ଗାନ୍ଧୀଙ୍କ ଶସ୍ତା ମାନସିକତାକୁ ଦର୍ଶାଉଛି । ଓଡ଼ିଶାର ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି । କିନ୍ତୁ କଂଗ୍ରେସକୁ ରାଜନୈତିକ ରୁଟି ସେକିବାକୁ ସୁଯୋଗ ମିଳିଯାଇଛି ।
ସେହିପରି ଧର୍ମେନ୍ଦ୍ର ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ସର୍ବଦା ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ପାଇଁ ଠୋସ୍ ପଦକ୍ଷେପ ନେଇଛନ୍ତି, କିନ୍ତୁ କଂଗ୍ରେସ ସବୁବେଳେ ପ୍ରତ୍ୟେକ ଅଘଟଣରେ ସୁଯୋଗ ଖୋଜିବା ପାଇଁ କାମ କରିଛି । ଏହି ଘଟଣାରେ, ଓଡ଼ିଶା ସରକାର ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ ପୀଡିତାଙ୍କ ପରିବାର ସହିତ ଠିଆ ହୋଇଛି । ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, କାହାକୁ ଛଡ଼ାଯିବ ନାହିଁ ବୋଲି ଦୃଢ଼ ଜବାବ ଦେଇଛନ୍ତି ଧର୍ମେନ୍ଦ୍ର ।
ଏହା ଶସ୍ତା ରାଜନୀତିର ସମୟ ନୁହେଁ ବରଂ ପୀଡିତାଙ୍କ ପରିବାରକୁ ନ୍ୟାୟ ପାଇବାର ସମୟ। ରାହୁଲ ଗାନ୍ଧୀ ତୁରନ୍ତ ତାଙ୍କ ଦାୟିତ୍ୱହୀନ ବୟାନ ପାଇଁ ପୀଡିତାଙ୍କ ପରିବାରକୁ କ୍ଷମା ମାଗିବା ଉଚିତ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର ।