ବାଲେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ତଦନ୍ତ କରିଥିବା ଆଇସିସି ସଦସ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୌମ୍ୟାଶ୍ରୀଙ୍କ ଅଭିଯୋଗ ମୁତାବକ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରଦାନ କରାଯାଇଥିଲା । ପ୍ରତ୍ୟକ୍ଷ ପ୍ରମାଣ ନ ଥିଲା କିନ୍ତୁ ଏଚ୍ଓଡିଙ୍କ ବଦଳି ପାଇଁ ମୌଖିକ ଭାବେ ଅଧ୍ୟକ୍ଷଙ୍କୁ ନିକଟରେ ସୁପାରିଶ କରିଥିଲେ ବୋଲି କହିଛନ୍ତି ଆଇସିସି କୋର୍ଡିନେଟର୍ ଜୟଶ୍ରୀ ମିଶ୍ର ଏବଂ ସଦସ୍ୟ ମୀନତି ସେଠୀ ।
ଆଇସିସି କୋର୍ଡିନେଟର୍ କହିଛନ୍ତି, ଯାହା ଅଭିଯୋଗ ଆସିଥିଲା ସେହି ଅନୁସାରେ ଯାଞ୍ଚ କରାଯାଇଥିଲା । ଏଥିପାଇଁ ବୈଠକ ବସିଥିଲା । ସୌମ୍ୟାଶ୍ରୀଙ୍କୁ କାଉନସେଲିଂ କରାଯାଇଥିଲା । ଜୁଲାଇ ୯ ତାରିଖରେ ଏଚ୍ଓଡି ସମୀର ସାହୁଙ୍କ ବଦଳି ପାଇଁ କମିଟି ପ୍ରିନ୍ସିପାଲଙ୍କ ନିକଟରେ ମୌଖିକ ସୁପାରିଶ କରିଥିଲା । ଯଦି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ, ସେ ଖୁସି ହୋଇଥାଆନ୍ତା ଏବଂ ବଞ୍ଚି ଯାଇଥାଆନ୍ତା ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ଆଇସିସି ସଦସ୍ୟ ମୀନତି ସେଠୀ କହିଛନ୍ତି ଯେ, ଜୁନ ୩୦ ତାରିଖରେ କମିଟି ନିକଟକୁ ଅଭିଯୋଗ ଆସିଥିଲା । ଯୌନ ନିର୍ଯ୍ୟାତନା, ପରୀକ୍ଷାରୁ ବଞ୍ଚିତ କରିବା ଏବଂ ଶ୍ରେଣୀ ବାହାରେ ଠିଆ କରିବା ଭଳି ମାନସିକ ନିର୍ଯ୍ୟାତନାର ଅଭିଯୋଗ ଥିଲା । ପରୀକ୍ଷାରୁ ବଞ୍ଚିତ ହେବା ପରେ ସେ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲା । ତାଙ୍କର ଅଭିଯୋଗ ଅନୁଯାୟୀ ଜୁଲାଇ ୧ ତାରିଖରେ ଆଇସିସି କମିଟି ଗଠନ କରାଯାଇଥିଲା । ଏଚ୍ଓଡି ସୌମ୍ୟାଶ୍ରୀଙ୍କୁ ଥରେ ଏକୁଟିଆ ସମୟରେ ଫେବର୍ ମାଗିଥିଲେ । କିନ୍ତୁ ତାହାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲା । ଅଭିଯୋଗରେ ସତ୍ୟତା ଥାଇପାରେ କିନ୍ତୁ କେହି ସାକ୍ଷୀ ନ ଥିଲେ । ଏସବୁ ଘଟଣାରେ ପ୍ରାୟତଃ ପ୍ରମାଣ ନ ଥାଏ ।
କିନ୍ତୁ ଏହି ମାମଲାରେ କମିଟି ବିଏଡ୍ ବିଭାଗର ୬୦ ଜଣ ପିଲାଙ୍କୁ ପଚରାଉଚରା କରିଥିଲା । ଶ୍ରେଣୀ ବାହାରେ ଛିଡ଼ା କରାଇବା ଅଭିଯୋଗ ସତ୍ୟ ଅଟେ । ଅନ୍ୟମାନଙ୍କୁ ମଧ୍ୟ ବିଳମ୍ବ ହେଲେ ଏଚ୍ଓଡି ଶ୍ରେଣୀ ବାହାରେ ଛିଡ଼ା କରନ୍ତି । କିନ୍ତୁ ଚରିତ୍ର ବାବଦରେ କୌଣସି ପ୍ରମାଣ ମିଳିନଥିଲା । ସମସ୍ତ ପିଲାମାନେ ଚରିତ୍ର ବିଷୟରେ ସେପରି କିଛି କହିନଥିଲେ କିନ୍ତୁ ବ୍ୟବହାର ଠିକ୍ ନୁହେଁ ବୋଲି କହିଥିଲେ । ହୁଏତ ଅନ୍ୟମାନଙ୍କ ପ୍ରତି ନ ଥାଇପାରେ କିନ୍ତୁ ସୌମ୍ୟାଶ୍ରୀଙ୍କ ପ୍ରତି ଏପରି ବ୍ୟବହାର କରିଥାଇ ପାରନ୍ତି କମିଟି ହୃଦୟଙ୍ଗମ କରିଥିଲା । ଅଭିଯୋଗରେ ସତ୍ୟତା ଥାଇ ପାରେ, ପ୍ରମାଣ ନ ଥିଲା । ସେଥିପାଇଁ କମିଟି ରିପୋର୍ଟରେ ଏଚ୍ଓଡିଙ୍କୁ ଭଲ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲା । ଏହା ସହିତ ଏଚଓଡିଙ୍କୁ ତୁରନ୍ତ ବଦଳି କରିବାକୁ ମଧ୍ୟ ମୌଖିକ ଭାବେ ସୁପାରିଶ କରିଥିଲେ ବୋଲି କହିଛନ୍ତି ଆଇସିସି ସଦସ୍ୟ ମୀନତି ସେଠୀ ।