ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ତାଙ୍କ ମିଶନ ସମାପ୍ତ କରି ପୃଥିବୀ ଫେରିଛନ୍ତି । ମଙ୍ଗବଳାର ଅପରାହ୍ନ ୩ଟାରେ ତାଙ୍କର ମହାକାଶଯାନ କାଲିଫର୍ନିଆ ଉପକୂଳରେ ଅବତରଣ କରିଥିଲା। ମହାକାଶଯାନଟି ସୁରକ୍ଷିତ ଭାବରେ ଅବତରଣ କରିବା ମାତ୍ରେ ତାଙ୍କ ବାପାମାଆ ଭାବପ୍ରବଣ ହୋଇଯାଇଥିଲେ । ଏହି ସମୟରେ ସେ ଅବତରଣର ସିଧା ପ୍ରସାରଣ ଦେଖିଥିଲେ। ଏଥିପାଇଁ ଲକ୍ଷ୍ନୌର CMS ସ୍କୁଲରେ ପୂର୍ବରୁ ବ୍ୟବସ୍ଥା କରାଯାଇଥିଲା । ତେବେ ଅବତରଣ ବେଳେ ତାଙ୍କ ମା’-ବାପା ବେଶ୍ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।
ଶୁଭାଂଶୁଙ୍କ ସଫଳ ଅବତରଣକୁ ନେଇ ମା’ ଆଶା ଶୁକ୍ଲା କହିଛନ୍ତି ‘ଏହା ଅତି ଖୁସି ଏବଂ ଗର୍ବର ମୁହୂର୍ତ୍ତ, ଯାହାକୁ ଶଦ୍ଦରେ ପ୍ରକାଶ କରିହେବ ନାହିଁ । ଯେତେବେଳେ ଲ୍ୟାଣ୍ଡିଂ (ଅବତରଣ ଚାଲିଥିଲା) ମୁଁ ଟିକେ ଭୟଭୀତ ଥିଲି, ହେଲେ ଇଶ୍ୱରଙ୍କ କୃପାରୁ ସବୁ ଠିକ୍ ଠାକ୍ ହୋଇଗଲା । ସେହିପରି ଶୁଭାଂଶୁଙ୍କ ଭଉଣୀ ସୁଚୀ ମିଶ୍ରା କହିଛନ୍ତି, ‘ସେ ମହାକାଶରୁ ସୁରକ୍ଷିତ ଭାବେ ଫେରିଆସିଛି, ଏହା ପୂରା ଦେଶ ପାଇଁ ଗର୍ବର ମୂହୂର୍ତ୍ତ, ମୁଁ ମଧ୍ୟ ଏଥିପାଇଁ ବେଶ୍ ଉତ୍ସାହିତ’ ।
ପୃଥିବୀକୁ ଫେରିବା ପରେ, ଏବେ ଶୁଭାଂଶୁ ଶୁକ୍ଲା ଏବଂ X-4 ଦଳକୁ ୧୦ ଦିନ ପାଇଁ ବିଚ୍ଛିନ୍ନ ରହିବାକୁ ପଡିବ। ଏହା ପରେ ହିଁ ସେମାନଙ୍କର ସାଧାରଣ ଜୀବନ ଆରମ୍ଭ ହେବ। ରବିବାର (୧୩ ଜୁଲାଇ ୨୦୨୪) ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅନୁଷ୍ଠିତ ବିଦାୟ ସମାରୋହରେ ଶୁଭାଂଶୁ ଶୁକ୍ଳା କହିଥିଲେ, ‘ପୃଥିବୀରେ ଶୀଘ୍ର ଦେଖାଯିବ।’ ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ପରେ ଶୁକ୍ଳା ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହାକାଶଚାରୀ ଯିଏ ମହାକାଶ ଯାତ୍ରା କରିଥିଲେ। ଆକ୍ସିଅମ-୪ ମିଶନ ସହିତ, ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀ ଚାରି ଦଶନ୍ଧିରୁ ଅଧିକ ସମୟ ପରେ ମହାକାଶକୁ ଫେରିଛନ୍ତି। ରାକେଶ ଶର୍ମାଙ୍କୁ ମନେ ପକାଇ ଶୁଭାଂଶୁ ଶୁକ୍ଳା କହିଥିଲେ ଯେ ୪୧ ବର୍ଷ ପୂର୍ବେ ଜଣେ ଭାରତୀୟ ମହାକାଶ ଯାତ୍ରା କରିଥିଲେ ଏବଂ ସେଠାରୁ ଭାରତ କିପରି ଦେଖାଯାଏ ତାହା କହିଥିଲେ। ଶୁଭାଂଶୁ କହିଥିଲେ, ‘ଆମେ ସମସ୍ତେ ଏବେ ବି ଜାଣିବାକୁ ଆଗ୍ରହୀ ଯେ ଉପରୁ ଭାରତ କିପରି ଦେଖାଯାଏ। ଆଜିର ଭାରତ ମହତ୍ୱାକାଂକ୍ଷୀ ଦେଖାଯାଉଛି। ଆଜିର ଭାରତ ନିର୍ଭୀକ ଦେଖାଯାଉଛି। ଆଜିର ଭାରତ ଆତ୍ମବିଶ୍ୱାସୀ ଦେଖାଯାଉଛିଟ୍ଟ ଆଜିର ଭାରତ ଗର୍ବରେ ପରିପୂର୍ଣ୍ଣ ଦେଖାଯାଉଛି। ଏହି ସମସ୍ତ କାରଣ ପାଇଁ, ମୁଁ ପୁଣି ଥରେ କହିପାରିବି ଯେ ଆଜିର ଭାରତ ଏବେ ବି ‘ସାରେ ଜହାଁ ସେ ଆଚ୍ଛା’ ଦେଖାଯାଉଛି। ପୃଥିବୀରେ ଶୀଘ୍ର ଦେଖାଯିବ।”