ନୂଆଦିଲ୍ଲୀ: ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଛି କ୍ରିକେଟ୍। ଏଥର ଲସ ଏଞ୍ଜେଲ୍ସ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ। ଲଞ୍ଚ ଏଞ୍ଜେଲ୍ସଠୁ ପାଖାପାଖି ୫୦ କିଲୋମିଟର ଦୂର ପୋମେନା ସହରର ଫେୟାରଗ୍ରାଉଣ୍ଡସ ଷ୍ଟାଡିୟମରେ ଅଲିମ୍ପିକ୍ସରେ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଜୁଲାଇ ୧୨ରୁ ପ୍ରତିଯୋଗିତା ଆରମ୍ଭ ହେବ। ପଦକ ମ୍ୟାଚ୍ ଜୁଲାଇ ୧୯(ଭାରତରେ ଜୁଲାଇ ୨୦) ଓ ଜୁଲାଇ ୨୯ରେ ଖେଳାଯିବ। ତେବେ ଆନୁଷ୍ଠାନିକ ଭାବେ କ୍ରୀଡ଼ାସୂଚୀ ଏବଂ କେଉଁ ଦଳ ଖେଳିବେ ତାର ଘୋଷଣା କରାଯାଇ ନାହିଁ।
ପୁରୁଷ ଓ ମହିଳା ବର୍ଗରେ ମୋଟ୍ ଛଅ ଛଅ ଟିମ୍ ଅଂଶଗ୍ରହଣ କରିବେ। ମୋଟ୍ ୧୮୦ ଖେଳାଳି ଅଲିମ୍ପିକ୍ସରେ କ୍ରିକେଟ୍ର ସବୁଠୁ ଛୋଟ ଫର୍ମାଟ୍ ଟି-୨୦ରେ ନିଜ ନିଜ ଦଳର ପ୍ରତିନିଧିତ୍ଵ କରିବେ। କାର୍ଯ୍ୟକ୍ରମ ଅନୁସାରେ ଗୋଟିଏ ଦିନରେ ସର୍ବାଧିକ ୨ଟି ମ୍ୟାଚ୍ ଖେଳାଯିବ। ଜୁଲାଇ ୧୪ ଓ ୨୧ରେ କୌଣସି ମ୍ୟାଚ୍ ହେବ ନାହିଁ। ପୁରୁଷ ଓ ମହିଳା ଟିମ୍ ୧୫ ଜଣିଆ ଦଳ ଘୋଷଣା କରି ପାରିବେ। କ୍ରିକେଟ୍ ସହ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) ବେସବଲ, ଫ୍ଲାଗ ଫୁଟବଲ, ଲ୍ୟାକ୍ରୋସ ଓ ସ୍କ୍ଵାସକୁ ୨୦୨୮ ଅଲିମ୍ପିକ୍ସରେ ସାମିଲ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲା।
ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ୨୦୨୮ ଜୁଲାଇ ୧୪ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ। କିନ୍ତୁ କ୍ରିକେଟ୍ର କିଛି ମ୍ୟାଚ୍ ଅଲିମ୍ପିକ୍ସର ଉଦଘାଟନ ଆଗରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଜୁଲାଇ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପଦକ ମ୍ୟାଚ୍ ଜୁଲାଇ ୨୦(ଆମେରିକାରେ ଜୁଲାଇ ୧୯)ରେ ଆୟୋଜିତ ହେବ। ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚ୍ ଜୁଲାଇ ୨୨ରୁ ୨୮ ପର୍ଯ୍ୟନ୍ତ ଚାଲିବ ଏବଂ ଫାଇନାଲ୍ ମୁକାବିଲା ଜୁଲାଇ ୨୯ରେ ଖେଳାଯିବ।
ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ମାତ୍ର ଥରୁଟିଏ ୧୯୦୦ ମସିହା ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ୍କୁ ସାମିଲ କରାଯାଇଥିଲା। ସେହି ସମୟରେ କେବଳ ଦୁଇଟି ଦଳ ଗ୍ରେଟ୍ ବ୍ରିଟେନ ଓ ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ। ଗ୍ରେଟ୍ ବ୍ରିଟେନ ପ୍ରତିଯୋଗିତାରେ ମାତ୍ର ଗୋଟିଏ ମ୍ୟାଚ୍ ଜିତି ସ୍ଵର୍ଣ୍ଣ ପଦକ ଜିତିଥିଲା।