ନୂଆଦିଲ୍ଲୀ: ୟମନ ଜେଲରେ ବନ୍ଦୀ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ଫାଶି ସଂପ୍ରତି ସ୍ଥଗିତ ରହିଛି । ନିମିଷାଙ୍କୁ ଜୁଲାଇ ୧୬ରେ ଫାଶି ଦିଆଯିବାର ଥିଲା । ମାତ୍ର କୂଟନୈତିକ ଏବଂ ଧର୍ମଗୁରୁଙ୍କ ପ୍ରଚେଷ୍ଟା ବଳରେ ବର୍ତ୍ତମାନ ଫାଶି ଘୁଞ୍ଚି ଯାଇଛି । ଏହା ସହିତ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ନିମିଷାଙ୍କ ଫାଶିରୁ ବଞ୍ଚିବାର ଆଶା ବଢି ଯାଇଛି । କେରଳର ପଲ୍ଲକଡ ଜିଲ୍ଲା କୋଲ୍ଲେଗୋଡେର ବାସିନ୍ଦା ପ୍ରିୟା ୨୦୧୭ ଜୁଲାଇରେ ୟମନର ଏକ ନାଗରିକଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରିୟାଙ୍କ ଫାଶି କେରଳର ଜଣେ ପ୍ରସିଦ୍ଧ ସୁନ୍ନି ମୁସଲିମ ବିଦ୍ୱାନ କନ୍ଥାପୁରମ ଏପି ଅବୁବକର ମୁସଲିୟାରଙ୍କ ପ୍ରଚେଷ୍ଟା ଏବଂ ହସ୍ତକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଏବେ ୟମନରେ ଏହି ଚର୍ଚ୍ଚା ଜୋର ଧରିଛି ଯେ, କଣ ନିମିଷା ପ୍ରିୟାଙ୍କୁ କ୍ଷମା କରାଯାଇ ପାରିବ ?
ପ୍ରିୟାଙ୍କ ଫାଶି ଘୁଞ୍ଚିଯିବା ଉପରେ ଆଲୋଚନା କରି କନ୍ଥାପୁରମ ଏଏନଆଇକୁ କହିଛନ୍ତି ଯେ, ଇସଲାମରେ ଏମିତି ଏକ କାନୁନ ରହିଛି ଯାହା ପୀଡିତଙ୍କ ପରିବାରକୁ ହତ୍ୟାକାରୀଙ୍କୁ କ୍ଷମା କରିବାର ଅନୁମତି ପ୍ରଦାନ କରିଥାଏ । ସେ ଏହା ମଧ୍ୟ କହିଛନ୍ତି, ସେ ପୀଡିତଙ୍କ ପରିବାରକୁ ଜାଣି ନାହାନ୍ତି । ତଥାପି ୟମନର ବିଦ୍ୱାନଙ୍କ ସହ ଯୋଗାଯୋଗ କରି ପରିବାର ସହ କଥା ହେବାକୁ ଅନୁରୋଧ କରିଥିଲେ । ମୁଁ ପରିବାର ସହ ଏହି ପ୍ରସଙ୍ଗରେ କଥା ହେଲି । ସେମାନଙ୍କୁ ପୂରା ଘଟଣାକ୍ରମ ବୁଝାଇଲି । ଇସଲାମ ଏମିତି ଏକ ଧର୍ମ ଯିଏ ମାନବତାକୁ ବହୁତ ମହତ୍ୱ ଦେଇଥାଏ ।
ଏହି ଘଟଣାରେ ୟମନର ବିଦ୍ୱାନ ଯିଏ ମୋତେ ଏଥିରେ ସାହାଯ୍ୟ କରିଛନ୍ତି ସେ ଏକ ଦସ୍ତାବିଜ ପଠାଇଛନ୍ତି । ଏଥିରେ କୁହାଯାଇଛି ଯେ ଫାଶିର ତାରିଖ ଘୁଞ୍ଚି ଯାଇଛି । ମୁଁ ମଧ୍ୟ ଭାରତ ସରକାରଙ୍କୁ ଆଲୋଚନା ଓ ପ୍ରକ୍ରିୟା ବିଷୟରେ ଅବଗତି କରାଇ ଦେଇଛି । ମୁଁ ପ୍ରଧାନମନ୍ତୀ କାର୍ଯ୍ୟାଳୟକୁ ଏକ ଚିଠି ପଠାଇ ଦେଇଛି । ଅନ୍ୟପଟେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଫାଶି ଦଣ୍ଡ ଘୁଞ୍ଚିଯିବାକୁ ଆଶ୍ୱସ୍ତି ଏବଂ ଆଶାର କିରଣ ଜାଗି ଉଠିଥିବା କହିଛନ୍ତି ।