ଆଜି ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନରୁ ଅଧିକ ସମୟ ଅତିବାହିତ କରିବା ପରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପୃଥିବୀକୁ ଫେରିଛନ୍ତି । ସମସ୍ତ ମହାକାଶଚାରୀଙ୍କୁ ନେଇ ଡ୍ରାଗନ ମହାକାଶଯାନ କାଲିଫର୍ନିଆର ସାନ ଡିଏଗୋରେ ଅବତରଣ କରିଥିଲା। ମହାକାଶରୁ ଫେରିଥିବା ଶୁଭାଂଶୁ ଶୁକ୍ଲାଙ୍କ ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ମିଶନ ପାଇଲଟ ଶୁଭାଂଶୁ ଶୁକ୍ଲା, ହସ ହସ ମୁହଁରେ ଡ୍ରାଗନ ମହାକାଶଯାନରୁ ବାହାରକୁ ପାଦ ଦେଇଥିଲେ। ପ୍ରଥମେ, କମାଣ୍ଡର ପେଗି ହ୍ବିଟସନ ଗନ ମହାକାଶଯାନରୁ ବାହାରକୁ ଆସିଥିଲେ ଏବଂ ତା’ପରେ ମିଶନ ପାଇଲଟ ଶୁଭାଂଶୁ ଶୁକ୍ଲା ବାହାରକୁ ଆସିଥିଲେ। ତେବେ ଆପଣ ଜାଣନ୍ତି କି କିପରି ଶୁଭାଂଶୁ ପୃଥିବୀରେ ଅବତରଣ କରିଛନ୍ତି? କ’ଣ ରହିଥିଲା ପୂରା ପ୍ରକ୍ରିୟା?
କ’ଣ ସ୍ପାଲସ୍ ଡାଉନ୍ ପ୍ରକ୍ରିୟା?
ସ୍ପାଲସ୍ ଡାଉନ୍ ପ୍ରକ୍ରିୟା ଶବ୍ଦଟି ମହାକାଶ ମିଶନରେ ବ୍ୟବହୃତ ହୁଏ। ଏହି ପ୍ରକ୍ରିୟା ସେତେବେଳେ ଘଟେ ଯେତେବେଳେ ଏକ ମହାକାଶଯାନକୁ ପାଣିରେ ଅବତରଣ କରାଯାଏ। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ, ଯେତେବେଳେ ମହାକାଶଯାନ ପାଣିରେ ଅବତରଣ କରେ, ଏହି ପ୍ରକ୍ରିୟାକୁ ସ୍ପାଲସ୍ ଡାଉନ୍ କୁହାଯାଏ। ଏହି ପ୍ରକ୍ରିୟା ପାରାସୁଟ୍ ମାଧ୍ୟମରେ କରାଯାଏ, ଯାହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ, ମହାକାଶଯାନର ଗତି ଧୀରେ ଧୀରେ ହ୍ରାସ ପାଏ। ଏହି ସମୟରେ, ଏହାର ପାରାସୁଟ୍ ଦୁଇଟି ପର୍ଯ୍ୟାୟରେ ଖୋଲିଥାଏ। ପ୍ରଥମେ ୫.୭ କିଲୋମିଟର ଉଚ୍ଚତାରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅବତରଣଠାରୁ ପ୍ରାୟ ଦୁଇ କିଲୋମିଟର ଉପରେ। ଏହା ପାଣିରେ ମହାକାଶଯାନର ଅବତରଣକୁ ସୁରକ୍ଷିତ କରିଥାଏ।
କେବଳ ପାଣି ଉପରେ କାହିଁକି ହୁଏ ସ୍ପାଲସ୍ ଡାଉନ୍?
ଯେତେବେଳେ କୌଣସି ମହାକାଶଯାନ ବାୟୁମଣ୍ଡଳରେ ପ୍ରବେଶ କରେ, ଏହାର ଗତି ବହୁତ ଅଧିକ ଥାଏ, ଯାହା ଯୋଗୁଁ ଇନ୍ଧନ ବହୁତ ଦ୍ରୁତ ଗତିରେ ଜଳେ, ଯାହା ପ୍ରଚୁର ତାପ ମଧ୍ୟ ଉତ୍ପାଦନ କରେ। ଏପରି ପରିସ୍ଥିତିରେ, ବିମାନ କ୍ଷତିଗ୍ରସ୍ତ ହୋଇପାରେ, ଯାହାଠାରୁ ଏଥିରେ ଥିବା ବିଶେଷ ତାପ ଢାଲ ଏହାକୁ ସୁରକ୍ଷା ଦିଏ। ଏହି ସମୟ ମଧ୍ୟରେ, ପାଣି ଯେକୌଣସି ମହାକାଶଯାନ ପାଇଁ ଏକ ପ୍ରାକୃତିକ କୁଶନ ବା ସୁରକ୍ଷା ଢାଲ ଭାବରେ କାର୍ଯ୍ୟ କରେ ଏବଂ ଏହା ଜଳପୃଷ୍ଠରେ କମ୍ ଆଘାତ ଅନୁଭବ କରେ, ଯାହା ଯୋଗୁଁ ମହାକାଶଯାନ ଏବଂ ମହାକାଶଚାରୀମାନେ ସୁରକ୍ଷିତ ରୁହନ୍ତି ।