ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରୁ ଦୁଇ ଜଣ ଅଧ୍ୟାପକଙ୍କ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି। ପଦାର୍ଥ ବିଜ୍ଞାନ ଓ ବାୟୋଲୋଜିର ଅଧ୍ୟାପକ ନିଜର ଜଣେ ଛାତ୍ରୀଙ୍କ ସହ ବଳାତ୍କାର କରିଛନ୍ତି। ଉଭୟ ପୀଡ଼ିତା ଛାତ୍ରୀଙ୍କୁ ବ୍ଲାକମେଲ୍ କରି ଅନେକ ଥର ନିଜର କାମନା ବାସନା ଚରିତାର୍ଥ କରିଛନ୍ତି। ଛାତ୍ରୀଙ୍କ ସହ ଅନେକ ଥର ବଳାତ୍କାର କରିବା ଏବଂ ତାଙ୍କୁ ବ୍ଲାକମେଲ୍ କରିବା ଅଭିଯୋଗରେ ଦୁଇ ଅଧ୍ୟାପକ ଏବଂ ତାଙ୍କର ଜଣେ ସାଙ୍ଗକୁ ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ପଦାର୍ଥ ବିଜ୍ଞାନ(ଫିଜିକ୍ସ)ର ଅଧ୍ୟାପକ ନରେନ୍ଦ୍ର, ବାୟୋଲୋଜିର ଅଧ୍ୟାପକ ସନ୍ଦୀପ ଓ ତାଙ୍କ ସାଙ୍ଗ ଅନୂପ ଏଠାରେ ଏକ ଘରୋଇ କଲେଜରେ କାମ କରୁଥିଲେ। ପୀଡିତା ମଧ୍ୟ ଏହି କଲେଜର ଛାତ୍ରୀ ଥିଲେ। ଛାତ୍ରୀ ଜଣକ କହିଛନ୍ତି ପ୍ରଥମେ ନରେନ୍ଦ୍ର ନୋଟ୍ସ ଦେବା ବାହାନାରେ ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଏହା ପରେ ନରେନ୍ଦ୍ର ଛାତ୍ରୀଙ୍କୁ ଦିନେ ଅନୂପଙ୍କ ରୁମକୁ ଡାକିଥିଲେ। ଏଠାରେ ତାଙ୍କୁ ବଳାତ୍କାର କରିତିଲା। ନରେନ୍ଦ୍ର ଛାତ୍ରୀଙ୍କୁ ଧମକ ଦେଇଥିଲା ଯେ, ଯଦି କାହାକୁ ଜଣାଇବୁ ତେବେ ପରିଣାମ ଠିକ୍ ହେବ ନାହିଁ।
କିଛି ଦିନ ପରେ ସନ୍ଦୀପ ମଧ୍ୟ ଛାତ୍ରୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲା। ଯେବେ ଛାତ୍ରୀଜଣକ ଏହାର ବିରୋଧ କଲା, ସନ୍ଦୀପ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲା। ତା ପାଖରେ ନରେନ୍ଦ୍ର ସହିତ ଅନ୍ତରଙ୍ଗ ଦୃଶ୍ୟର ଫଟୋ ଓ ଭିଡିଓ ଥିବା ଦାବି କରିଥିଲା। ଏହା ପରେ ସନ୍ଦୀପ ବି ଛାତ୍ରୀଙ୍କୁ ବଳାତ୍କାର କରିଥିଲା। ପୁଣି ଅନୂପ ଛାତ୍ରୀଙ୍କୁ ତାର ରୁମକୁ ପଶିବାର ସିସିଟିଭି ଫୁଟେଜ୍ ଦେଖାଇ ଧମକ ଦେବା ସହ ଯୌନ ଶୋଷଣ କରିଥିଲା।
ଶେଷରେ ଛାତ୍ରୀ ଜଣକ ନିଜ ମାଆ ଓ ବାପାଙ୍କୁ ଏହି ବିଷୟରେ ସବୁ କିଛି ଜଣାଇଥିଲା। ଏହା ପରେ ପରିବାର କର୍ଣ୍ଣାଟକ ରାଜ୍ୟ ମହିଳା ଆୟୋଗ ସହ ଯୋଗାଯୋଗ କରି ମରାଠାହଲ୍ଲୀ ଥାନାରେ ଏଫଆଇଆର ଦେଇଥିଲେ। ଅଭିଯୋଗ ଆଧାରରେ ଦୁଇ ଅଧ୍ୟାପକ ଓ ତାଙ୍କ ସାଙ୍ଗକୁ ପୋଲିସ ଗିରଫ କରିଛି।