ମୟୁରଭଞ୍ଜ : ନିଶାସକ୍ତ ପୁଅର ଉନ୍ମୁକ୍ତ କାଣ୍ଡ। ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡକୁ ଛେଚି ବାପା ଓ ମାଆଙ୍କୁ ହତ୍ୟା କଲା। ବୈଶିଙ୍ଗା ଥାନା ମାନଗୋବିନ୍ଦପୁର ପଞ୍ଚାୟତ ଧନାପାଳରେ ଘଟିଛି ଏହି ଡବଲ ମଡର। ମୃତକ ହେଲେ ଅଶି ବର୍ଷୀୟ ହାଡ଼ିବନ୍ଧୁ ସାହୁ ଓ ତାଙ୍କ ସ୍ତ୍ରୀ ଶାନ୍ତି ସାହୁ। ଅଭିଯୁକ୍ତ ପୁଅ ହେଲେ ହିମାଂଶୁ ସାହୁ। ଖବରପାଇ ପୋଲିସ ଘଟଣାସ୍ଥରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଅଭିଯୁକ୍ତ ହିମାଂଶୁ ପ୍ରତ୍ୟକ ଦିନ ମଦ୍ୟପାନ କରେ। ଏପରିକି ମା'ଙ୍କୁ ଟଙ୍କା ମାଗିବା ସହିତ ଘରେ ପାଟିତୁଣ୍ଡ ମଧ୍ୟ କରେ। ପୁଅର ଏଭଳି ଆଚରଣ ପାଇଁ ବାପା ମା ପୁଅ ଠାରୁ ଅଲଗା ରହୁଥିଲେ। ତଥାପି ହିମାଂଶୁ ମଝିରେ ମଝିରେ ଘରକୁ ଯାଇ ପାଟିତୁଣ୍ଡ କରେ। ତେବେ ହିମାଂଶୁ ର ଏଭଳି ଆଚରଣ ପାଇଁ ସ୍ତ୍ରୀ ଓ ଦୁଇ ସନ୍ତାନ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ବାପା ଶଯ୍ୟାସାଇ ଓ ମାଆ ଆଶାବାଡିରେ ଦିନ କାଟୁଥିଲେ।
ତେବେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ହିମାଂଶୁ ଘରକୁ ଯାଇଥିଲା। ଏହାପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ହିମାଂଶୁ ଉତ୍ୟକ୍ତ ହୋଇଯାଇ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡକୁ ଛେଚି ବାପା ଓ ମାଆଙ୍କୁ ହତ୍ୟା କରିଥିଲା। ମୃତ୍ୟୁର ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣା ବାବଦରେ ଅଧିକ ତଦନ୍ତ କରୁଛି।