ଆଠଗଡ଼: ବାଲେଶ୍ଵର ସୌମ୍ୟାଶ୍ରୀଙ୍କ ଘଟଣା ମନରୁ ଲିଭି ନାହିଁ ହେଲେ ପୁଣି ଜଣେ ମହିଳା ଆତ୍ମହୁତି ପାଇଁ ଧମକ ଦେଲେଣି। ଆଠଗଡ଼ ଖୁଣ୍ଟୁଣୀ ଥାନା ଦ୍ବାରବତୀପୁର ଗାଁରେ କାହ୍ନା ରାଉତ ମୃତ୍ୟୁ ଘଟଣାକୁ ତାଙ୍କ ପତ୍ନୀ ମମତା ବେହେରା ଏହି ଚେତାବନୀ ଦେଇଛନ୍ତି। ବୁଧବାର ପ୍ରେସ୍ମିଟ କରି ସରକାରଙ୍କୁ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ମୃତ କାହ୍ନାଙ୍କ ପତ୍ନୀ।
ସେ କହିଛନ୍ତି ନ୍ୟାୟ ପାଇଁ ଏସ୍ପିଙ୍କଠାରୁ କଟକ ଜିଲ୍ଲାପାଳଙ୍କୁ ଭେଟିଲିଣି। ଗୋଡ଼ହାତ ଧରି ନେହୁରା ହେଲା ପରେ ମଧ୍ୟ କେହି ଶୁଣୁନାହାନ୍ତି। ମାମଲା ରଫାଦଫା କରିବାକୁ ଚାପ ପକାଯାଉଛି।ଏଥିପାଇଁ ପ୍ରଶାସନ ଓ ପୋଲିସ ବିଭାଗ ଦାୟୀ ରହିବେ । ଯଦି ସ୍ବାମୀଙ୍କ ହତ୍ଯାକାରୀକୁ ଧରାଯାଇ ଦଣ୍ଡ ଦିଆ ନ ଯାଏ ତେବେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଦେବେ ବୋଲି ମମତା କହିଛନ୍ତି। ଗତ ଜୁଲାଇ ୯ ତାରିଖରେ ମାଡ଼ ମାରି ଗାଡ଼ି ଉପରକୁ ଠେଳିଦେଇଥିବା ଅଭିଯୋଗ ହୋଇଥିଲା।
ସୂଚନା ଥାଉକି ଗାଡ଼ି ଦୁର୍ଘଟଣାକୁ କେନ୍ଦ୍ର କରି ମାଧପୁରର କାହ୍ନା ରାଉତଙ୍କୁ ଚଳନ୍ତା ଗାଡ଼ି ସାମ୍ନାକୁ ଫିଙ୍ଗିଦେଲେ ଉତ୍ୟକ୍ତ ଲୋକେ । କାହ୍ନାଙ୍କ ଭାଇଙ୍କ କହିବା ଅନୁଯାୟୀ ଜୁଲାଇ ୮ ତାରିଖରେ କାହ୍ନା ଆଠଗଡ଼ରୁ ଖୁଣ୍ଟୁଣି ଅଭିମୁଖେ ଆସୁଥିଲେ । ଏହି ସମୟରେ ତାଙ୍କ ବାଇକ ଓ ଅନ୍ୟ ଏକ ବାଇକ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଏଥିରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ କାହ୍ନାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ତାଙ୍କୁ ଛାଡ଼ି ଦେବାକୁ ବଡ଼ ଅଭିମନ୍ୟୁ ବହୁତ ନେହୁରା ହୋଇଥିଲେ । କିନ୍ତୁ କେହି ଶୁଣିବା ଅବସ୍ଥାରେ ନ ଥିଲେ । କିଛି ଲୋକ କାହ୍ନାଙ୍କୁ ଏକ ଚଳନ୍ତ ପିକ୍ଅପ୍ ଭ୍ୟାନ ଆଗକୁ ଠେଲି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାଧପୁର ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବାରୁ କଟକ ଏସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ଭାଇ ଅଭିମନ୍ୟୁ ରାଉତ ଆଠଗଡ଼ ଥାନାରେ ଏନେଇ ଅଭିଯୋଗ ମଧ୍ଯ କରିଛନ୍ତି ।
ତେବେ ଏହି ଘଟଣାରେ କାହ୍ନାଙ୍କୁ ନ୍ୟାୟ ଦେବାକୁ ଏବଂ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ସଦ୍ୟ ସୂଚନା ମୂତାବକ ମହିଳାଙ୍କ ଆତ୍ମହୁତି ଧମକ ପରେ ଘଟଣାରେ ଦୁଇ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ଆଠଗଡ଼ ଏସଡିପିଓ ସୂଚନା ଦେଇଛନ୍ତି।