ସମ୍ବଲପୁର: ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଗିରଫ ହୋଇଥିବା ସମ୍ବଲପୁର ଗଙ୍ଗାଧର ମେହର ବିଶ୍ଵବିଦ୍ୟାଳୟ ଅଧ୍ୟାପକଙ୍କ ବିରୋଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରାପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ସହକାରୀ ଅଧ୍ୟାପକ ଗୋପିକାନ୍ତ ସୁନାଙ୍କୁ ନିଲମ୍ବିତ କରିଛନ୍ତି । ଏହି ସମୟରେ ସେ ମୁଖ୍ୟ କାର୍ଯ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।
ଅନ୍ୟପକ୍ଷରେ କୂଳପତି କହିଛନ୍ତି ଯେ ଏ ସମ୍ପର୍କରେ ଛାତ୍ରୀ ଜଣକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଅଭିଯୋଗ କରିନଥିଲେ । ଏହି ଘଟଣା ନେଇ ଗତକାଲି ରାତିରେ ମହିଳା ଥାନା ପୋଲିସ ପକ୍ଷରୁ ତାଙ୍କୁ ସୁଚନା ଦିଆଯାଇଥିଲା । ତେବେ ମହିଳା ଥାନା ପକ୍ଷରୁ ଅଧ୍ୟାପକଙ୍କୁ ଗିରଫ କରାଯିବା ଘଟଣା ପରେ ଆଜି ବିଶ୍ଵବିଦ୍ୟାଳୟ ପକ୍ଷରୁ ସଂପୃକ୍ତ ଅଧ୍ୟାପକ ଗୋପିକାନ୍ତ ସୁନାଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ଜିଏମ୍ ବିଶ୍ୱବିଦ୍ୟାଳୟର ଏଜୁକେସନ ବିଭାଗ ସହକାରୀ ଅଧ୍ୟାପକ ଗୋପିକାନ୍ତ ସୁନା ନିଜ କ୍ୱାର୍ଟରରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପରେ ବିବାହ କରିବାକୁ ମନା କରିଦେଇଥିଲେ । ଏନେଇ ଛାତ୍ରୀ ଜଣକ ମହିଳା ଥାନାର ଦ୍ଵାରସ୍ଥ ହୋଇଥିଲେ । ଅଭିଯୋଗ ପରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।