ଯାଜପୁର: ଯାଜପୁର ଚଇନିପୁର ନିକଟରେ ଥିବା ବୈତରଣୀ ନଦୀ ଉପରେ ନିର୍ମିତ ବିଜୁ ସେତୁର ଗୁରୁବାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ । ନିମ୍ନମାନର ସେତୁ ନିର୍ମାଣରେ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ସଭାପତି କହିଛନ୍ତି ।
ଏହି ପୋଲ ଚଇନିପୁର ଓ ପଣସା ପଞ୍ଚାୟତ ଏବଂ ଭଦ୍ରକ ଜିଲ୍ଲାକୁ ମଧ୍ୟ ସଂଯୋଗ କରୁଥିଲା । ୨୦୧୨-୧୩ ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାଚୀନ ଶୈବ ପୀଠ ବେଲେଶ୍ୱର ନିକଟରେ ବିଜୁ ସେତୁ ନିର୍ମାଣ କରାଯାଇଥିଲା । ୨୦୧୫ରେ ଏହାର ଉଦଘାଟନ ହୋଇଥିଲା । ମସିହାରେ କାର୍ଯ୍ୟ ଶେଷ ହୋଇଥିଲା । ଉଦଘାଟନର ୧୦ ବର୍ଷ ନ ପୁରୁଣୁ ସେତୁର ଦୁଇଗୋଟି ପିଲର ଦବିଯିବା ସହ ସେତୁର ମଝି ଅଂଶ ଦବିଯାଇଛି । ସେତୁର ଦୁଇ ଗୋଟି ପିଲାର ଚଳିତ ମାସ ୧୧ ତାରିଖ ଦିନ ହଠାତ ଦବି ଯାଇଥିଲା । ଫଳରେ ଗମନାଗମନ ବ୍ୟାହତ ହୋଇଥିଲା । ପୂର୍ବ ବିଜେଡ଼ି ସରକାର ସମୟରେ ଏହି ସେତୁକୁ ନିର୍ମାଣ କରିଥିବା ଠିକାଦାରର ନିମ୍ନମାନର କାମ ଏବଂ ସେହି ସମୟର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ସେତୁ ଦବିଲା ବୋଲି ସାଧାରଣରେ ଅଭିଯୋଗ ହେଉଛି ।
ଏପରିକି ସେତୁ ନିର୍ମାଣ ହୋଇଥିବା ସ୍ଥାନରୁ ବିଜେଡିର ବାଲି ମାଫିଆ ବର୍ତ୍ତମାନ ସେହି ସେତୁ ପାଖରୁ ହଜାର ହଜାର ଟ୍ରିପ୍ର ବାଲି ଉଠାଣ କରିବା ଯୋଗୁ ସେତୁ ଦବିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୂର୍ବତନ ବିଧାୟକ ବବିଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂର୍ବତନ ବିଜେଡ଼ି ନେତା ଅକ୍ଷୟ ମହାନ୍ତି, ଏହି ସେତୁ ନିକଟରୁ ବାଲି ଉଠାଣ କରୁଥିବାରୁ ଏଭଳି ଘଟଣା ଦେଖିବାକୁ ମଳିଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହି ସେତୁ ନିକଟରୁ ବେଆଇନ ଭାବେ ବାଲି ଉଠାଣ କରି ରଖାଯାଇଥିବା ବାଲିକୁ ଜିଲ୍ଲା ପ୍ରଶାସନ ଜବଦ୍ କରି ନାଲି ପତାକା ମାରିଛି । ଏହି ଗଚ୍ଛିତ ଥିବା ବେଆଇନ ବାଲିକୁ ଜିଲ୍ଲା ପ୍ରଶାସନ ନିଲାମ କରି ନିଲାମର ଅର୍ଥକୁ ସରକାରୀ ତହବିଲକୁ ଆଣିବା ସହ ନିମ୍ନମାନର ସେତୁ ନିର୍ମାଣ କରିଥିବା ଠିକାଦାର ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଓ ପଣସା ପଞ୍ଚାୟତର ସରପଞ୍ଚ ଦାବୀ କରିଛନ୍ତି ।