ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ତାରକା ବୋଲର ଯଶପ୍ରୀତ ବୁମରା ଖେଳିବେ କି ନାହିଁ ତାକୁ ନେଇ ସଂଶୟ ରହିଛି। ହେଲେ ଭାରତର ସହାୟକ କୋଚ ରିୟାନ ଟେନ ଡୋଏଶେ ଗୁରୁବାର କହିଛନ୍ତି ଯେ, ଘରୋଇ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ବୁମରାଙ୍କୁ ଖେଳାଇବାକୁ ଚାହୁଁଛୁ। ମାତ୍ର ଅନ୍ତିମ ନିଷ୍ପତ୍ତି ଜୁଲାଇ ୨୩ରେ ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ନିଆଯିବ। ଲର୍ଡ୍ସରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଭାରତ ୨୨ ରନରେ ପରାଜିତ ହୋଇଥିଲା। ଏବେ ସିରିଜ୍ରେ ଦଳ ୧-୨ରେ ପଛୁଆ ରହିଛି। ବୁମରା ପୂର୍ବ ନିର୍ଦ୍ଧାରିତ ରଣନୀତି ଅନୁସାରେ ୩ଟି ଟେଷ୍ଟ ଖେଳିବେ। ଲର୍ଡ୍ସ ଟେଷ୍ଟରେ ସେ ୭ ଓ୍ଵିକେଟ୍ ନେଇ ଦମଦାର ପ୍ରଦର୍ଶନ କରିଥିଲେ। ତେବେ ମାଞ୍ଚେଷ୍ଟର ଟେଷ୍ଟ ଖେଳିବା ନେଇ ସନ୍ଦେହ ରହିଛି। ତେବେ ଓଲ୍ଡ ଟ୍ରାଫର୍ଡରେ ବୁମରାଙ୍କ ଖେଳିବା କିଛି କାରକ ଉପରେ ନିର୍ଭର କରେ।
ଟେନ ଡୋଏଶେ କହିଛନ୍ତି, ବୁମରା ଚତୁର୍ଥ ଟେଷ୍ଟ ଖେଳିବେ କି ନାହିଁ ତାର ନିଷ୍ପତ୍ତି ମାଞ୍ଚେଷ୍ଟରରେ ନେବୁ। ଆମେ ଜାଣିଛୁ ଅନ୍ତିମ ଦୁଇଟି ଟେଷ୍ଟରୁ ସେ ଗୋଟିଏ ବାଛି ପାରନ୍ତି। ଏବେ ଚତୁର୍ଥ ଟେଷ୍ଟ ବାଜିରେ ଲାଗି ଥିବାରୁ ବୁମରାଙ୍କୁ ଖେଳାଇବା ନେଇ ବିଚାର କରାଯାଉଛି। ଆମକୁ ଦେଖିବାକୁ ପଡିବ ଚତୁର୍ଥ ଟେଷ୍ଟର ପିଚ୍ କେମିତି ? କେଉଁ ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇଲେ ଦଳ ମ୍ୟାଚ୍ ଜିତିବ। ଓଲ୍ଡ ଟ୍ରାଫର୍ଡରେ ଜିତିବା ପାଇଁ ଆମ ନିକଟରେ ସୁଯୋଗ ରହିଛି। ଭାରତ ଜୁଲାଇ ୧୯ରେ ମାଞ୍ଚେଷ୍ଟର ପହଞ୍ଚିବ।
ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ନିଜର କାର୍ଯ୍ୟଚାପ ପ୍ରବନ୍ଧନକୁ ଅଣଦେଖା କରି ନିଜର ଦଳକୁ ଏକ ସ୍ମରଣୀୟ ବିଜୟ ଦେଇଛନ୍ତି। ଷ୍ଟୋକ୍ସ ଭାରତୀୟ ଦଳ ଉପରେ ଚାପ ପକାଇବା ପାଇଁ ୯.୨ ଓଭର ଓ ୧୦ ଓଭର ଲଗାତାର ବୋଲିଂ କରିଥିଲେ। ତୃତୀୟ ଟେଷ୍ଟ ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।
ଡୋଏଶେ କହିଛନ୍ତି, କିଛି ବୋଲର ଏମିତି ହୋଇଥାନ୍ତି ଯାହାଙ୍କଠୁ ଆପଣ ସପ୍ତମ, ଅଷ୍ଟମ ଓ ନବମ ଓଭରରେ ବୋଲିଂ କରାଇ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହାସଲ କରି ପାରିବେ। ସେ ଏହା ମଧ୍ୟ କହିଛନ୍ତି, ମହମ୍ମଦ ସିରାଜଙ୍କ ପରି ବୋଲରଙ୍କ କାର୍ଯ୍ୟଭାର ପ୍ରବନ୍ଧନ ଉପରେ ମଧ୍ୟ ନଜର ରଖାଯିବା ଉଚିତ୍।