ନୂଆଦିଲ୍ଲୀ: ଭାରତ ଗୁରୁବାର ନାଟୋ ପ୍ରମୁଖ ମାର୍କ ରୁଟ୍ଟେଙ୍କୁ କଡା ଜବାବ ଦେଇଛି । ନାଟୋ ପ୍ରମୁଖ କହିଥିଲେ ଯେ, ରୁଷ ସହ ବାଣିଜ୍ୟ ସଂପର୍କ ରଖିଥିବା ଦେଶ ଖାସ କରି ଭାରତ, ଚୀନ ଓ ବ୍ରାଜିଲକୁ ପରିଣାମ ଭୋଗିବାକୁ ପଡିବ । ଏହା ଉପରେ ପ୍ରତିକ୍ରିୟା ଦେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ନାଟୋର ଦୋମୁହାଁ ନୀତିକୁ ନେଇ କଡା ଚେତାବନୀ ଦେଇଛି ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ଏହି ବିଷୟରେ ରିପୋର୍ଟ ଦେଖିଛୁ ଏବଂ ଘଟଣାକ୍ରମ ଉପରେ ସବୁ ନଜର ରଖୁଛୁ । ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଆମ ଲୋକଙ୍କ ପାଇଁ ଉର୍ଜାର ଆବଶ୍ୟକତାକୁ ସୁରକ୍ଷିତ ରଖିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଆମେ ବଜାରରେ କଣ ଉପଲବ୍ଧ ରହିଛି ଏବଂ ଦୁନିଆରେ କେମିତି ସ୍ଥିତି ରହିଛି, ତାକୁ ଦେଖି ନିଷ୍ପତ୍ତି ନେଉ । ଏମିତି ମାମଲାରେ ଆମେ ଦୋମୁହାଁ ନୀତି ରଖୁଥିବା ଲୋକଙ୍କୁ ପରାମର୍ଶ ଦେଉଛୁ ।
କଣ କହିଥିଲେ ନାଟୋ ମୁଖ୍ୟ
ନାଟୋ ପ୍ରମୁଖ ରୁଟ୍ଟେ ୱାଶିଂଟନରେ ଆମେରିକାର ସାଂସଦ ଥମ ଲିଟିସ ଓ ଜିନ ଶାହୀନଙ୍କ ସହ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଭାରତ, ଚୀନ ଓ ବ୍ରାଜିଲକୁ ରୁଷ ସହ ନିଜର ଆର୍ଥିକ ସଂପର୍କ ଉପରେ ପୁନଃର୍ବିଚାର କରିବାର ଆବଶ୍ୟକତା ରହିଛି । ସେ ଚେତାବନୀ ଦେଇ କହିଥିଲେ ଯେ, ଯଦି ରୁଷ ଶାନ୍ତି ବାର୍ତ୍ତା ପାଇଁ ଗମ୍ଭୀରତା ପ୍ରକାଶ ନ କରେ ତେବେ ଏହି ସବୁ ଦେଶ୧୦୦ ପ୍ରତିଶତ ସେକେଣ୍ଡାରୀ ସେକ୍ସନ ପରିଧିରେ ଆସି ପାରନ୍ତି ।
ତାଙ୍କର ଏହି ବୟାନ ସେହି ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ଅତିରିକ୍ତ ସାମରିକ ସହାୟତା ଦେବା ସହ ରୁଷକୁ ୫୦ ଦିନ ଭିତରେ ଶାନ୍ତି ବାର୍ତ୍ତା ଆରମ୍ଭ କରିବାକୁ ଚେତାବନୀ ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ, ଏମିତି ନ କଲେ ରୁଷ ସହିତ ବାଣିଜ୍ୟ ସଂପର୍କ ରଖିଥିବା ଦେଶଗୁଡିକୁ ସଂପୂର୍ଣ୍ଣ ରୂପେ ସେକେଣ୍ଡାରୀ ବର୍ଗରେ ଚାଲି ଆସିବେ ।