ବିହାର: ଫିଲ୍ମ ଷ୍ଟାଇଲରେ ମେଡିକାଲରେ ଦୁବୃର୍ତଙ୍କ ଆତଙ୍କରାଜ। ମେଡିକାଲର ଆଇସିୟୁରେ ପଶି ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି କରି ହତ୍ୟା କରାଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ହେଊଛି ବିହାର ପାଟନାର ପାରସ ହସ୍ପିଟାଲରେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ପାଞ୍ଚ ଜଣ ଅପରାଧୀ ନିର୍ଭୀକ ଭାବରେ ବନ୍ଧୁକ ଧରି ଆଇସିୟୁରେ ପ୍ରବେଶ କରୁଛନ୍ତି।
ଅପରାଧୀମାନେ ହସ୍ପିଟାଲର କୋଠରୀ ନମ୍ବର ୨୦୯ ରେ ଏହି ଘଟଣା ଘଟାଇଥିଲେ। ଅପରାଧୀମାନେ ମାତ୍ର ୨୫ ସେକେଣ୍ଡ ମଧ୍ୟରେ ଏହି ଘଟଣା ଘଟାଇଥିଲେ। ହତ୍ୟା କରାଯାଇଥିବା ବ୍ୟକ୍ତି ଚନ୍ଦନ ମିଶ୍ର ବୋଲି ଚିହ୍ନଟ କରାଯାଇଛି। ଚନ୍ଦନ ମିଶ୍ରଙ୍କୁ ବେଉର ଜେଲରୁ ପାରୋଲରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚନ୍ଦନ ମିଶ୍ର ବକ୍ସରର ବାସିନ୍ଦା ଥିଲେ ଏବଂ କେଶରୀ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ।
ପୋଲିସ ଚନ୍ଦନ ମିଶ୍ରଙ୍କ କୋଠରୀରୁ ୧୨ଟି ଗୁଳି ଜବତ କରିଛି। ପୋଲିସ ହସ୍ପିଟାଲର ଗାର୍ଡ ସମେତ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏସଏସପି କାର୍ତ୍ତିକ କେ ଶର୍ମା କହିଛନ୍ତି ଯେ ଚନ୍ଦନ ମିଶ୍ର ଜଣେ କୁଖ୍ୟାତ ଅପରାଧୀ ଥିଲେ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ହସ୍ପିଟାଲରେ ପ୍ରବେଶ କରି ତାଙ୍କୁ ହତ୍ୟା କରିଥିଲେ। ସେ କହିଛନ୍ତି ଯେ ପୋଲିସ ଅପରାଧୀଙ୍କ ଫଟୋ ପାଇଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ।