ନୂଆଦିଲ୍ଲୀ: ଗତ ମାସରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମୟରେ ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନକୁ ଧ୍ୱଂସ କରିଥିବା ଦାବି କରିଥିଲା। କିନ୍ତୁ ବର୍ତ୍ତମାନ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ବୋମା ମାଡ଼ରେ ଇରାନର କେବଳ ଗୋଟିଏ ପରମାଣୁ ସ୍ଥାନ ଫୋର୍ଡୋ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଆମେରିକାର ଅସଲ ମୁଖା ଖୋଲି ଯାଇଥିବା କୁହାଯାଉଛି।
ଆମେରିକୀୟ ଗଣମାଧ୍ୟମ ହାଉସ୍ NBCର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଇରାନ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ଼ ଯୋଜନା କରିଥିଲା। ଏହି ଯୋଜନା ଅନୁଯାୟୀ ଆକ୍ରମଣ କେବଳ ଗୋଟିଏ ରାତିରେ ଇରାନ ଉପରେ ହେବାର ନ ଥିଲା ବରଂ ତିନୋଟି ପରମାଣୁ ସ୍ଥାନକୁ କିଛି ସପ୍ତାହ ପାଇଁ ଟାର୍ଗେଟ କରାଯିବାର ଥିଲା। ଏପରିକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଯୋଜନା ବିଷୟରେ ଅବଗତ କରାଯାଇଥିଲା। ହେଲେ ଟ୍ରମ୍ପ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଯଦି ଟ୍ରମ୍ପ ଏଥିରେ ସହମତ ହୋଇଥାନ୍ତେ, ତେବେ ଇରାନ ଏବଂ ଇସ୍ରାଏଲରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥାନ୍ତେ। ଏହା ଉଭୟ ଦେଶକୁ ବହୁତ କ୍ଷତି ପହଞ୍ଚାଇଥାନ୍ତା ଏବଂ ଆମେରିକା ଦୀର୍ଘ ସମୟ ପାଇଁ ଇରାନରେ ଯୁଦ୍ଧ ଭଳି ପରିସ୍ଥିତିରେ ଫସି ରହିଥାନ୍ତା। ଏହା ଟ୍ରମ୍ପଙ୍କ ବୈଦେଶିକ ନୀତି ବିରୁଦ୍ଧ ମଧ୍ୟ। ତେଣୁ କେବଳ ଗୋଟିଏ ରାତିରେ ଆକ୍ରମଣ ଯୋଜନା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଆକ୍ରମଣରେ ଫୋର୍ଡୋ ପରମାଣୁ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ ନାଟାଞ୍ଜ ଏବଂ ଇସଫାହାନରେ ଥିବା ପରମାଣୁ କେନ୍ଦ୍ରଗୁଡ଼ିକ ଅକ୍ଷତ ଥିଲା ବୋଲି ରିପୋର୍ଟରୁ ଜଣା ପଡ଼ିଛି।
ରିପୋର୍ଟ ଅନୁଯାୟୀ, ଜଣେ ପୂର୍ବତନ ଅଧିକାରୀ କହିଛନ୍ତି ଯେ ଇରାନ କେତେ କ୍ଷତି ସହିଛି ସେ ବିଷୟରେ ଆମେରିକା ଏବଂ ଇସ୍ରାଏଲୀ ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଆଲୋଚନା ଚାଲିଛି ଯେ ଯଦି ଇରାନ ଟ୍ରମ୍ପ ପ୍ରଶାସନ ସହିତ ପରମାଣୁ ଚୁକ୍ତି ଉପରେ ଶୀଘ୍ର ଆଲୋଚନା ଆରମ୍ଭ କରିବାକୁ ରାଜି ନହୁଏ, ତେବେ କମ୍ କ୍ଷତି ସହିଥିବା ଦୁଇଟି ପରମାଣୁ ସ୍ଥାନ ଉପରେ ପୁଣି ଆକ୍ରମଣ ହୋଇପାରେ।