ଭୁବନେଶ୍ଵର: ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ଆସନ୍ତାକାଲି ବାଲେଶ୍ବର ଯିବ ଉଚ୍ଚଶିକ୍ଷା ବିଭାଗର ଟିମ୍। ଘଟଣାକୁ ନେଇ ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗସ୍ତ କରି ସ୍ଥିତି ପରଖିବ। ତେଣୁ ଆଭ୍ୟନ୍ତରୀଣ କମିଟି ସଦସ୍ୟକୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୩ରେ ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରିଥିଲା ଆଭ୍ୟନ୍ତରୀଣ ଟିମ୍। ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି କଲେଜରେ ପରିସରକୁ ଯାଇ ଘଟଣା ସ୍ଥଳ ପରିଦର୍ଶନ କରିବା ସହ କିଛି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପଚରାଉଚୁରା କରିଛି।
କଲେଜକୁ ଯାଇ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ। ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଖୁବ୍ ଗମ୍ଭୀରତାର ସହ ନେଇଛନ୍ତି। ସେଥିପାଇଁ କ୍ରାଇମବାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ଗୁରୁବାର ଘଟଣାସ୍ଥଳରେ (ଏଫଏମ୍) କଲେଜରେ କ୍ରାଇମବ୍ରାଞ୍ଚର ଟିମ୍ ପହଞ୍ଚି ତନାଘନ ଚଳାଇଛି। ବାଲେଶ୍ବରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି।
ଏଫଏମ୍ କଲେଜରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ବିଭିନ୍ନ ଦିଗରୁ ପଚାରାଉଚରା କରୁଛି। ପ୍ରିନ୍ସିପାଲ ଏବଂ ଆଭ୍ୟନ୍ତରୀଣ କମିଟି ସଦସ୍ୟଙ୍କୁ ପଚରାଉଚରା କରାଯାଉଛି। ଏହି ଟିମ୍ ବାଲେଶ୍ବର ସହଦେବ ଖୁଣ୍ଟା ଥାନାରୁ ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ ସଂଗ୍ରହ କରିଛନ୍ତି। କଲେଜ ନିକଟରେ ଥିବା ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ଡିସିପି ଇମାନ କଲ୍ୟାଣ ନାୟକଙ୍କ ସମେତ ଏକ ସ୍ବତନ୍ତ୍ର ଟିମ୍ ମାମଲାର ତଦନ୍ତ କରୁଛି।