ଭୁବନେଶ୍ୱର: ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ଏହି ଆନ୍ଦୋଳନରେ ସାଧାରଣ ଜନତା ହନ୍ତସନ୍ତ ହୋଇଥିଲେ । ଏପରିକି ରୋଗୀ ମଧ୍ୟ ନିସ୍ତାର ପାଇ ନ ଥିଲେ । ବିଭିନ୍ନ ସ୍ଥାନରେ ରୋଗୀ ମଧ୍ୟ ଅଟକି ରହିଥିଲେ । କିନ୍ତୁ ଆନ୍ଦୋଳନରେ ଜଣେ ପୋଲିସ ବାବୁଙ୍କ ମହାନତା ଦେଖିବାକୁ ମିଳିଛି । ବିକ୍ଷୋଭରେ ଫସି ରହିଥିବା ଜଣେ ରୋଗିଣା ମହିଳାଙ୍କୁ ପୋଲିସ ଅଧିକାରୀ ନିଜେ ଟେକି ନେଇ ଆମ୍ବୁଲାନ୍ସରେ ବସାଇ ମେଡ଼ିକାଲ ପଠାଇଛନ୍ତି ।
ଓଡିଶା ବନ୍ଦ ଡାକରା ଯୋଗୁଁ ଭୁବନେଶ୍ୱର ପାହାଳ ଥାନା ନିକଟରେ ଜାତୀୟ ରାଜପଥ ଅବରୋଧ ହୋଇଥିଲା । ଫଳରେ ବସ୍ ଯୋଗେ ଖଡ଼ିଆଳରୁ କଟକ ବଡ଼ ମେଡିକାଲ ଅଭିମୁଖେ ଆସୁଥିବା ଜଣେ ଅସୁସ୍ଥ ମହିଳା ରୋଗୀ ଭିଡ଼ ଯୋଗୁଁ ଫସି ରହିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ଲକ୍ଷ୍ୟ କରି କାର୍ଯ୍ୟରତ ପାହାଳ ଥାନା ଏସ୍ଆଇ ସ୍ମୃତି ରଞ୍ଜନ ମହାନ୍ତି ତୁରନ୍ତ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ । ଏହା ପରେ ନିଜେ ମହିଳାଙ୍କୁ କୋଳରେ ଧରି ଆମ୍ବୁଲାନ୍ସରେ ଛାଡ଼ିଥିଲେ । ଏହାପରେ ଆମ୍ବୁଲାନ୍ସକୁ କଟକ ଏସସିବି ମେଡିକାଲକୁ ସୁରକ୍ଷିତ ଭାବେ ପଠାଇବାର ବନ୍ଦୋବସ୍ତ କରିଥିଲେ । ପୋଲିସ ଅଧିକାରୀଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ବେଶ ପ୍ରଶଂସା କରାଯାଇଛି ।