ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଦୁଇଟି ସଫଳ ପରୀକ୍ଷଣ କରାଯାଇଛି । ଗତକାଲି ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ତତ୍ତ୍ୱାବଧାନରେ ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍ ସଫଳ ଭାବେ ପରୀକ୍ଷଣ କରାଯାଇଛି। ଯାହା ସଫଳତାର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ମିଜାଇଲ୍ ର ସଫଳ ଉତକ୍ଷେପଣ ପରେ ସବୁଠି ଖୁସିର ବାତାବରଣ ଖେଳିଯାଇଥିଲା ।
ସୂଚନା ଅନୁସାରେ, ଅବଦୁଲ କଲାମ ଦ୍ବୀପରୁ ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା । ଅଗ୍ନି-୧ ମିଜାଇଲ୍ ର ୧ ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିବା ସହିତ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ସେହିପରି ସନ୍ଧ୍ୟା ୮ଟା ୩୫ ମିନିଟରେ ଚାନ୍ଦିପୁର ୩ ନଂ ଲଞ୍ଚପ୍ୟାଡରୁ ପୃଥ୍ୱୀ-୨ ମିଜାଇଲ୍ର ସଫଳ ପରୀକ୍ଷଣ ହୋଇଛି । ଏହା ୩୫୦ରୁ ୫୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରଖୁଥିବାବେଳେ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ବହୁ ସମୟର ପରିଶ୍ରମ ପରେ ଦୁଇଟି ମିଜାଇଲ୍ ର ସଫଳ ପରୀକ୍ଷଣ ଆଉ ଏକ ସଫଳତା ଆଣିଦେଇଛି ।