ନୂଆଦିଲ୍ଲୀ: ଏକ ନାବାଳିକାକୁ ଦୁଷ୍କର୍ମ କରିବା ଏବଂ ହତ୍ୟା କରିଥିବା ଜଣେ ଅଭିଯୁକ୍ତକୁ ଉତ୍ତର ପ୍ରଦେଶ ପୋଲିସ ଶୁକ୍ରବାର ସକାଳେ ଏନକାଉଣ୍ଟର କରିଛି । ମୃତ ଅଭିଯୁକ୍ତ ଜଣକ ହେଲା ମନୁ । ୟୁପି ପୋଲିସ ଅଭିଯୁକ୍ତ ମନୁ ଉପରେ ୫୦,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।
ଶୁକ୍ରବାର ସକାଳେ ୟୁପିରେ ପୋଲିସ ଫାରୁଖାବାଦରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଝିଅକୁ ବଳାତ୍କାର ଏବଂ ହତ୍ୟା କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟରରେ ହତ୍ୟା କରିଛି। ପୋଲିସ ମନୁ ନାମକ ଏହି ଅଭିଯୁକ୍ତ ଉପରେ ୫୦,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଗୁଳି ମାରିବା ପରେ ପୋଲିସ ମନୁକୁ ଚିକିତ୍ସା ପାଇଁ ଲୋହିଆ ହସ୍ପିଟାଲକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗତ ମାସରେ ଫାରୁଖାବାଦର କାଇମଗଞ୍ଜ ଥାନା ଅଞ୍ଚଳର ଏକ ଗାଁର ଜଣେ ଝିଅ ତା ପିଉସୀଙ୍କ ଘରକୁ ବୁଲି ଆସିଥିଲା । ଜୁନ୍ ୨୭ରେ ସେ ନିକଟସ୍ଥ ବଗିଚାକୁ ଆମ୍ବ ଆଣିବାକୁ ଯାଇଥିବାବେଳେ ମନୁ ତାକୁ ଅପହରଣ କରିନେଇଥିଲା । ଏହା ପରେ ଉକ୍ତ ନାବାଳିକାକୁ ମନୁ ଦୁଷ୍କର୍ମ କରିଥିଲା । ଏଥିରେ ମଧ୍ୟ ତାର ମନ ଭରିନଥିଲା । ନାବାଳିକାକୁ ଅଭିଯୁକ୍ତ ଜଣକ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଜୁନ୍ ୨୮ରେ ମୈନପୁରୀ ଜିଲ୍ଲାର ଭୋଗୋଁ ଥାନାର ଦେବୀପୁର ଗାଁର ଏକ କ୍ଷେତରୁ ଝିଅଟିର ମୃତଦେହ ଉଦ୍ଧାର କରାଯାଇଥିଲା ।
ପୋଲିସ ଅଧୀକ୍ଷକ ଆରତୀ ସିଂହ କହିଛନ୍ତି ଯେ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଲିସର ତଦନ୍ତ ପରେ ମେରାପୁର ଥାନା ଅଞ୍ଚଳର ପାଖନା ଗାଁର ବାସିନ୍ଦା ମନୁ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଥିଲା । ସିସିଟିଭି କ୍ୟାମେରା ଫୁଟେଜରେ ମନୁ ନାବାଳିକାକୁ ଅନୁସରଣ କରୁଥିବାର ଦେଖାଯାଇଥିଲା। ଆଜି ସକାଳେ ମନୁକୁ ପୋଲିସ ଗିରଫ କରିବାକୁ ଯାଇଥିବାବେଳେ ସେ ଫେରାର ହେବାକୁ ଚେଷ୍ଟା କରିଥିଲା । ଫଳରେ ପୋଲିସ ବାଧ୍ୟ ହୋଇ ମନୁ ଉପରକୁ ଗୁଳି ଚଳାଇଥିଲା । ମନକୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ବିରୁଦ୍ଧରେ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ ଜାରି ରଖିଛି ।
୨୩୯ତମ ଅପରାଧୀଙ୍କୁ ହତ୍ୟା କରାଯାଇଛି
ଉତ୍ତର ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ରାଜୀବ କୃଷ୍ଣ ସୂଚନା ଦେଇଥିଲେ ଯେ ୨୦୧୭ ପରଠାରୁ ୨୩୮ ଜଣ ଅପରାଧୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଜଣେ ଝିଅକୁ ବଳାତ୍କାର ଏବଂ ହତ୍ୟା କରିଥିବା ଅଭିଯୁକ୍ତ ମନୁ ୟୁପିର ୨୩୯ତମ ଅପରାଧୀ ଯିଏ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏହି ଆଠ ବର୍ଷ ମଧ୍ୟରେ ୧୪ ହଜାରରୁ ଅଧିକ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ୯ ହଜାରରୁ ଅଧିକ ଅପରାଧୀଙ୍କ ଗୋଡରେ ଗୁଳି ବାଜିଛି । ୩୦ ହଜାରରୁ ଅଧିକ ଅପରାଧୀଙ୍କୁ ଗିରଫ କରାଯାଇଛି ।