ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ଆଗାମୀ ଆସାମ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୮୮ ଜଣ ପ୍ରାର୍ଥୀଙ୍କ ନାଁରେ ମୋହର ମାରିଛି ଦଳ । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜାଲୁକବାରୀ ଆସନରୁ ମଇଦାନରେ ଓହ୍ଲାଇବେ । ବର୍ତ୍ତମାନ ଏହି ନିର୍ବାଚନ ମଣ୍ଡଳୀରୁ ସେ ବିଧାୟକ ଅଛନ୍ତି ।
ଏହି ଆସନରୁ ବିଶ୍ୱ ଶର୍ମା ୨୦୦୧ରୁ ଲଗାତାର ଜିତି ଆସୁଛନ୍ତି । ସେ ପାଞ୍ଚଟି ନିର୍ବାଚନ ୨୦୦୧, ୨୦୦୬, ୨୦୧୧, ୨୦୧୬ ଓ ୨୦୨୧ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ସେ ୨୦୨୧ ମେ ୧୦ରେ ଆସାମର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ ।
ବିଜେପି ଭବାନୀପୁରରୁ ରଞ୍ଜିତ କୁମାର ଦାସ ଓ ଦିସପୁରରୁ ପ୍ରଦ୍ୟୁତ ବୋରଦୋଲାଇଙ୍କୁ ପ୍ରାର୍ଥୀ କରିଛି । ପ୍ରଦ୍ୟୁତ ନିକଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ଏହା ବ୍ୟତୀତ କଂଗ୍ରେସର ପୂର୍ବତନ ଆସାମ ସଭାପତି ଭୁପେନ କୁମାର ବୋରାହଙ୍କୁ ବିହପୁରିଆରୁ ଟିକେଟ୍ ଦେଇଛି ବିଜେପି । ସେ ମଧ୍ୟ ନିକଟରେ କଂଗ୍ରେସ ଛାଡି ପଦ୍ମ ଧରିଥିଲେ ।
ଏହା ପୂର୍ବରୁ ପ୍ରାର୍ଥୀଙ୍କ ନାଁ ଉପରେ ଚୂଡାନ୍ତ ନିର୍ଣ୍ଣୟ ନେବା ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲା । ଏହାର ଅଧ୍ୟକ୍ଷତା କରିଥିଲେ ବିଜେପିର ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ. ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ନିକଟରେ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ । ଏଥର ଆସାମରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ମୋଟ୍ ୧୨୬ ସିଟରେ ଏପ୍ରିଲ ୯ରେ ଭୋଟ୍ ଗ୍ରହଣ ହେବ । ମେ ୪ରେ ଫଳାଫଳ ପ୍ରକାଶ ପାଇବ ।
Also read: କ’ଣ ଶେଷ ହେବ ବରୁଣ ଗାନ୍ଧୀଙ୍କ ବନବାସ ? ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପିଏମ ମୋଦୀଙ୍କୁ କଲେ ସାକ୍ଷାତ