ନୂଆଦିଲ୍ଲୀ: ବିହାରର ଚର୍ଚ୍ଚିତ ଦୁଲାରଚନ୍ଦ ଯାଦବ ହତ୍ୟାକାଣ୍ଡ ମାମଲାରେ ଜନତା ଦଳ (ୟୁନାଇଟେଡ୍)ର ବିଧାୟକ ଅନନ୍ତ ସିଂହଙ୍କୁ ଆଶ୍ୱସ୍ତି ମିଳିଛି । ପାଟନା ହାଇକୋର୍ଟ ଅନନ୍ତ ସିଂହଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ଆଗାମୀ ଦୁଇ ଦିନ ମଧ୍ୟରେ ସମସ୍ତ କାଗଜପତ୍ର କାମ ଶେଷ ହେବା ପରେ ସେ ଜେଲରୁ ମୁକୁଳି ପାରନ୍ତି ।
ପ୍ରଚାର ବେଳେ ହତ୍ୟା
୩୦ ଅକ୍ଟୋବର, ୨୦୨୫ରେ ବିହାର ବିଧାନସଭା ନିର୍ବାଚନ ସମୟରେ ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟୀର କାର୍ଯ୍ୟକର୍ତ୍ତା ଦୁଲାରଚନ୍ଦ ଯାଦବଙ୍କୁ ପ୍ରଚାର ସମୟରେ ଗୁଳି କରି ହତ୍ୟା କରାଯାଇଥିଲା । ସେ ଆରଜେଡ଼ିର ନେତା ଥିବାବେଳେ ଜନସୁରାଜ ପାର୍ଟୀ ପାଇଁ ପ୍ରଚାରପ୍ରସାର କରୁଥିଲେ । ମୋକାମାରେ ପ୍ରଚାର କରୁଥିବା ସମୟରେ ହତ୍ୟାକାଣ୍ଡ ଘଟିଥିଲା । ୧ ନଭେମ୍ବର, ୨୦୨୫ରେ ଏହି ହତ୍ୟାକାଣ୍ଡରେ ବିଧାୟକ ଅନନ୍ତ ସିଂହଙ୍କୁ ଗିରଫ କରାଯାଇଥିଲା । ଅନନ୍ତଙ୍କ ନିର୍ଦ୍ଦେଶରେ ତାଙ୍କ ସମର୍ଥକ ମାନେ ଦୁଲାରଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ସେ ପାଟନାର ବେଊର ଜେଲରେ ଅଛନ୍ତି ।
ନିର୍ବାଚନ ଲଢ଼ିବେନି ଅନନ୍ତ
ସେ ଜେଲରୁ ରହି ନିର୍ବାଚନ ଲଢ଼ିଥିଲେ । ନିର୍ବାଚନ ଜିତିବା ପରେ ଶପଥ ଗ୍ରହଣ ପାଇଁ ଜେଲରୁ ମୁକୁଳିଥିଲେ । ପୁନର୍ବାର ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବାକୁ ଅନନ୍ତ ସିଂହ ଜେଲରୁ ମୁକୁଳିଥିଲେ । ସେହିପରି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଯେ ଖୁବଶୀଘ୍ର ଜେଲରୁ ବାହାରକୁ ଆସିବେ । ତେବେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି । ତାଙ୍କ ସ୍ଥାନରେ ତାଙ୍କ ପୁଅକୁ ମଇଦାନକୁ ଓହ୍ଲାଇବେ । ଯଦି ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ରହିବେ ନାହିଁ ତେବେ ସେ କାହିଁକି ଆଉ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ।