ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପାର୍ଟି ୧୧୧ ଜଣ ପ୍ରାର୍ଥୀଙ୍କ ନାଁରେ ମୋହର ମାରିଛି। ଏହା ସହ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ୨୫୫ କୁ ବୃଦ୍ଧି ପାଇଛି। ପ୍ରଥମ ତାଲିକାରେ ଦଳ ୧୪୪ ଜଣ ପ୍ରାର୍ଥୀ ଦେଇ ଥିଲା।ଦ୍ଵିତୀୟ ତାଲିକାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନୀତିଶ ପ୍ରମାଣିକଙ୍କୁ ମାଠଭାଙ୍ଗାରୁ ଟିକେଟ୍ ମିଳିଛି। ଲୋକପ୍ରିୟ ଧାରାବାହିକ ମହାଭାରତରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ରୂପା ଗାଙ୍ଗୁଲିଙ୍କୁ ସୋନାରପୁର ଦକ୍ଷିଣରୁ ପ୍ରାର୍ଥୀ କରିଛି ଦଳ। ଅର୍ଜୁନ ସିଂହଙ୍କୁ ନୋଆପାରାରୁ ମଇଦାନକୁ ଓହ୍ଲାଇଛି ବିଜେପି।
ଅର୍ଜୁନ ସିଂହ କୋଲକାତାର ପୂର୍ବାଞ୍ଚଳର ଜଣେ ଶକ୍ତିଶାଳୀ ନେତା ଭାବେ ପରିଚିତ।ସେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ଅସନ୍ତୁଷ୍ଟ ହେବା ପରେ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ। ତେବେ ପୁଣି ଥରେ ସେ ବିଜେପିରେ ଯୋଗ ଦେଇ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ହାତେଇଛନ୍ତି। ନୋମାନ ରୟଙ୍କୁ ଦାର୍ଜିଲିଂରୁ, ଅନନ୍ତ ଦେବ ଅଧିକାରୀଙ୍କୁ ଜଳପାଇଗୁଡ଼ିରୁ, ଭାରତ ଛେତ୍ରୀଙ୍କୁ କାଲିମପଙ୍ଗରୁ ଏବଂ ମିତାଲି ମାଲଙ୍କୁ ଖାରଗ୍ରାମରୁ ପାର୍ଟି ପ୍ରାର୍ଥୀ କରିଛି।
ସେହିପରି ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇନ୍ଦ୍ରନୀଲ ଖାନଙ୍କୁ ବାହାଲା ପଶ୍ଚିମ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ରେଖା ପାତ୍ରଙ୍କୁ ହିଙ୍ଗଲଗଞ୍ଜ ସଂରକ୍ଷିତ ଆସନରୁ ଟିକେଟ୍ ମିଳିଛି। ସନ୍ଦେଶଖାଲି ଏପିସୋଡରେ ରେଖା ପାତ୍ର ପ୍ରସିଦ୍ଧି ହାସଲ କରିଥିଲେ। ରେଖା ସନ୍ଦେଶଖାଲିର ସ୍ଵର ଭାବରେ ସାମ୍ନାକୁ ଆସିଥିଲେ। ପୂର୍ବରୁ ରେଖାଙ୍କୁ ବସିରହାଟରୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇଥିଲା। କିନ୍ତୁ ସେ ହାରି ଯାଇଥିଲେ।
ଅଭିନେତା ହିରନ ଚାଟାର୍ଜୀ ଶ୍ୟାମପୁରରୁ ଟିକେଟ୍
ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ର ଅଭିନେତା ହିରନ ଚାଟାର୍ଜୀ ଶ୍ୟାମପୁର ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଗତ ୨୦୨୧ ବିଧାନସଭା ନିର୍ବାଚନରେ ହିରନ ଚାଟାର୍ଜୀ ବିଜେପି ଟିକେଟରେ ଖଡ଼ଗପୁର ସଦର ଆସନରେ ଜିତିଥିଲେ। ଏଥର ତାଙ୍କ ଆସନ ପରିବର୍ତ୍ତନ କରିଛି ବିଜେପି।
ସେହିପରି ମେକଲିଗଞ୍ଜରୁ ଦଧିରାମ ରାୟ, ମଦାରୀହାଟରୁ ଲକ୍ଷ୍ମଣ ଲିମ୍ବୁ, ଧୂପଗୁଡ଼ିରୁ ନରେଶ ଚନ୍ଦ୍ର ରାୟ, ମୟନାଗୁଡ଼ିରୁ କୌଶିକ ରାୟ, ଜଳପାଇଗୁଡ଼ିରୁ ଅନନ୍ତ ଦେବ ଅଧିକାରୀ, ଦାର୍ଜିଲିଂରୁ ନୋମାନ ରାୟ, ଇଟାହାରରୁ ସବିତା ବର୍ମନ, ଫରକ୍କାରୁ ସୁନୀଲ ଚୌଧୁରୀ, ଜାଙ୍ଗିପୁରରୁ ଚିତ୍ତୋ ମୁଖାର୍ଜୀ ଏବଂ ରାଣାପ୍ରତାପ ସିଂହ ରାୟଙ୍କୁ ରାଣୀନଗରରୁ ପ୍ରାର୍ଥୀ କରିଛି।
ଶୁଭେନ୍ଦୁ ଅଧିକାରୀଙ୍କ ଭାଇଙ୍କୁ ଟିକେଟ୍
ବିଜେପି ଏଗ୍ରା ନିର୍ବାଚନମଣ୍ଡଳୀରୁ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ଦିବ୍ୟେନ୍ଦୁ ଅଧିକାରୀଙ୍କୁ ଟିକେଟ୍ ଦେଇଛି। ସନ୍ଦେଶଖାଲି ଆନ୍ଦୋଳନର ନେତା ସନତ ସର୍ଦ୍ଦାରଙ୍କୁ ହିଙ୍ଗଲଗଞ୍ଜରୁ ପ୍ରାର୍ଥୀ କରାଯାଇଛି। ଦଳର ଯୁବ ଶାଖାର ରାଜ୍ୟ ସଭାପତି ଇନ୍ଦ୍ରନୀଲ ଖାନଙ୍କୁ ବେହାଲା ପଶ୍ଚିମରୁ ପ୍ରାର୍ଥୀ କରାଯାଇଛି। ରିତେଶ ତିୱାରୀଙ୍କୁ କାଶୀପୁର ବେଲଗାଛିଆରେ ମଇଦାନକୁ ଓହ୍ଲାଇଛି ବିଜେପି।
ବିଜେପି ପ୍ରଥମ ତାଲିକାରେ ୧୪୪ ଜଣ ଏବଂ ଦ୍ୱିତୀୟ ତାଲିକାରେ ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆଉ ୩୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ୨୦୨୬ ପଶ୍ଚିମବଙ୍ଗ ନିର୍ବାଚନରେ ମମତା ବାନାର୍ଜୀ ବନାମ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।। ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦୀଗ୍ରାମ ଏବଂ ଭବାନୀପୁରରୁ ପ୍ରାର୍ଥୀ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ପୂର୍ବରୁ ସେ ନନ୍ଦୀଗ୍ରାମରୁ ନିଜ ନାଁ ଫେରାଇ ନେଇଥିଲେ।