କେନ୍ଦ୍ରାପଡା: ଟ୍ରକରେ ଗଲା ହେଲିକପ୍ଟର । ମାସେ ପରେ ଟ୍ରଲରରେ ଲଦାହୋଇ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ପବନ ଯାନ ମରାମତି ପାଇଁ ଗଲା । ଗତମାସ ଜୁନ ୯ ତାରିଖରେ କେନ୍ଦ୍ରାପଡା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ ହେଲିକପ୍ଟରରେ କୌଣସି ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଆଉ ଫେରିପାରିନଥିଲା । ତେଣୁ ଦୀର୍ଘ ମାସେ ହେବ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ରହିଥିଲା ।
ସୂଚନା ଅନୁଯାୟୀ ରାଜ୍ୟ ସରକାର ତଥା ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତିର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ କେନ୍ଦ୍ରାପଡା ଗସ୍ତ ହୋଇଥିଲା । ଜୁନ ୯ ତାରିଖରେ କେନ୍ଦ୍ରାପଡାକୁ Heligo H145 ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପତ୍ନୀଙ୍କ ସହ ଆସିଥିଲେ । ଉଭୟ ବଳଦେବଜୀଉଙ୍କ ଦର୍ଶନ କରି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପରେ ସର୍କିଟ ହାଉସରେ ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରି ଫେରିବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରାୟ ଦୁଇଘଣ୍ଟା ଧରି ଘଡଘଡି ସହ ବର୍ଷା ହେବା ଓ ସନ୍ଧ୍ୟା ହୋଇଯିବା କାରଣରୁ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ କେନ୍ଦୁଝର ଗସ୍ତ କରିଥିଲେ । ପରଦିନ ଅର୍ଥାତ ଜୁନ ୧୦ରେ ହେଲିକପ୍ଟରଟିକୁ ଉଡାଣ ପାଇଁ ପ୍ରସ୍ତୁତ କରାଯିବା ସମୟରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା । ବାରମ୍ବାର ଇଞ୍ଜିନିୟରଙ୍କ ଦ୍ୱାରା ଷ୍ଟାର୍ଟ କରାଇବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ଏହାକୁ ଟ୍ରଲର ଦ୍ବାରା ମୁମ୍ବାଇ ସ୍ଥାନାନ୍ତରଣ କରିବା ପାଇଁ ନିଷ୍ପତି ହୋଇଥିଲା ।