ଗଂଜାମ: ଗଂଜାମ ଜିଲ୍ଲା ଆସିକା ଅନ୍ତର୍ଗତ କୋଟିନଡା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଭାରସାମ୍ୟ ହରାଇ ଦୋକାନ କାନ୍ଥରେ ଏକ କାର ପିଟି ହୋଇଯାଇଛି । ଯାହା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ଧୋବା ମହାନ୍ତି ନାମକ ଜଣେ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କ ସହ ସମ୍ବଲପୁରରୁ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ବାଟରେ କୋଟିନଡ଼ା ଛକଠାରେ ଡ୍ରାଇଭରଙ୍କ ଆଖି ଲାଖି ଯିବାରୁ ଗୋଟିଏ ଦୋକାନ କାନ୍ଥରେ କାରଟି ପିଟି ହୋଇ ଯାଇଥିଲା ।
ଯାହା ଫଳରେ ଘଟଣା ସ୍ଥଳରେ ୬୦ ବର୍ଷୀୟ ଧୋବା ମହାନ୍ତିଙ୍କ ମୃତ୍ୟୁୁ ହୋଇଥିବା ବେଳେ ଡ୍ରାଇଭର କାର୍ତ୍ତିକ ମହାନ୍ତିଙ୍କ ସମେତ ପରିବାରର ତିନି ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ତେବେ ଏନେଇ ଖବର ପାଇ ଘଟଣା ସ୍ଥଳରେ କୋଟିନଡା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ କାର ଭିତରେ ଥିବା ଚାରି ଗୁରୁତରଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରିବା ସହ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରହିଛି ।