ଭୁବନେଶ୍ଵର: ଉତ୍ତମ ପ୍ରଶାସନିକ ଅଭ୍ୟାସ ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ଵରରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜନ ହେଉଛି । ଏହା ଦୁଇ ଦିନ ଧରି ଚାଲିବ । କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଉଦଘାଟନ କରିବେ ।
ଏହି ସମ୍ମିଳନୀରେ ବିଭିନ୍ନ ବିଷୟ ବସ୍ତୁକୁ ନେଇ ୫ଟି ପୂର୍ଣ୍ଣାଙ୍ଗ ଅଧିବେଶନ ରହିବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରୟାସ ୨୦୨୪ (ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ) ଶୀର୍ଷକ ପ୍ରଥମ ଅଧିବେଶନ ଡିଏଆରପିଜିର ଅତିରିକ୍ତ ସଚିବ ପୁନତି ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଡିଏଆରପିଜି ଯୁଗ୍ମସଚିବ ସରିତା ଚୌହାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରୟାସ -୨୦୨୪ (ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ)’ ବିଷୟ ଉପରେ ଆଉ ଏକ ଅଧିବେଶନରେ ଅଧ୍ୟକ୍ଷତା କରିବେ। ଅନ୍ୟାନ୍ୟ ଅଧିବେଶନଗୁଡ଼ିକରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରୟାସ ୨୦୨୩ ଏବଂ ୨୦୨୪ (ସାମଗ୍ରିକ ବିକାଶ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବଂ ନବସୃଜନ) ଉପରେ ଆଲୋଚନା କରାଯିବ ।