ଭୁବନେଶ୍ଵର: ରାଜ୍ୟ ସରକାର ୨୦୨୫-୨୬ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏଥର ମୋଟ ୮୦୦୦ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ସାମିଲ କରାଯିବ । ଆସନ୍ତାକାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଆଇଆରସିଟିସିର ମିଳିତ ଆନୁକୂଲ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏ ନେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଏଥିପାଇଁ ଜୁଲାଇ ୧୭ରୁ ଉଭୟ ଅନଲାଇନ ଏବଂ ଅଫଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଇଚ୍ଛୁକ ଆବେଦନକାରୀମାନେ ଜୁଲାଇ ୧୭ ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ yatra.odisha.gov.in ରେ ଏବଂ ଅଫ୍ଲାଇନ୍ରେ ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ ପତ୍ର ଦାଖଲ କରିପାରିବେ । ପ୍ରତି ପର୍ଯ୍ୟାୟ ତୀର୍ଥଯାତ୍ରା ଅବଧି ମୋଟ ୫ ରାତ୍ର ଏବଂ ୬ ଦିନ ରହିବ । ରାଜ୍ୟର ୧୦ଟି ସ୍ଥାନରୁ ଏସ୍କର୍ଟ୍ ଅଧିକାରୀଙ୍କ ସମେତ ୮୦୦ ଜଣ ଲେଖାଏଁ ତୀର୍ଥଯାତ୍ରୀ ଯାତ୍ରା କରିବେ । ମୋଟ ୮୦୦୦ ଜଣ ଅଯୋଧ୍ୟା-ବାରାଣାସୀ, ଉଜ୍ଜୟିନୀ-ଓଁକାରେଶ୍ୱର ଏବଂ ରାମେଶ୍ୱରମ୍-ମଦୁରାଇ ଆଦି ତୀର୍ଥସ୍ଥାନକୁ ତୀର୍ଥଯାତ୍ରାରେ ଯିବେ । ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଗାଁରୁ ରେଳ ଷ୍ଟେସନ ଯାଏଁ ଆଣିବା, ଘରେ ଛାଡ଼ିବା, ଯାତ୍ରା ସମୟରେ ରହଣି, ଗମନାଗମନ ଏବଂ ଖାଦ୍ୟ ପାନୀୟର ସମସ୍ତ ସୁବିଧା ପ୍ରଦାନ କରାଯିବ । ଏହା ସହିତ ସେମାନଙ୍କୁ ଜୀବନ କାଳ ମଧ୍ୟରେ କେବଳ ଗୋଟିଏ ଥର ପାଇଁ ଯାତ୍ରା କରିବାର ସୁଯୋଗ ମିଳିବ ।
କେଉଁମାନେ କରିପାରିବେ ଆବେଦନ ?
ତୀର୍ଥଯାତ୍ରା ପାଇଁ ନିର୍ଦ୍ଧିଷ୍ଟ ମାନଦଣ୍ଡ ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ତୀର୍ଥ ଯାତ୍ରୀଙ୍କ ବୟସ ୬୦ରୁ ୭୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ତୀର୍ଥଯାତ୍ରୀଙ୍କୁ ଚୟନ କରାଯିବ । ସେହିପରି ଆବେଦନକାରୀ ଆର୍ଥିକ ଅନଗ୍ରସର ସୀମା ରେଖାରେ ଆସୁଥିବା ଆବଶ୍ୟକ । ଆବେଦନକାରୀଙ୍କୁ ଅନ୍ତୋଦୟ ଅନ୍ନପୂର୍ଣ୍ଣା କାର୍ଡ, ବିଧବା ଭତ୍ତା କାର୍ଡ, ରାସନ କାର୍ଡ, ମନରେଗା କାର୍ଡ ଇତ୍ୟାଦି ମଧ୍ୟରୁ ଗୋଟିଏ ଆର୍ଥିକ ଅନଗ୍ରସର ପ୍ରମାଣ ପତ୍ର ଦରଖାସ୍ତ ସହିତ ଦାଖଲ କରିବାକୁ ପଡ଼ିବ । ବରିଷ୍ଠ ନାଗରିକ ଦମ୍ପତ୍ତିଙ୍କ କ୍ଷେତ୍ରରେ ଜଣଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ । ଯଦି ଜଣେ ୭୦ରୁ ୭୫ ବର୍ଷ ମଧ୍ୟରେ ବୟସ୍କ ବ୍ୟକ୍ତି ହୋଇଥିବେ ତେବେ ତାଙ୍କ ସହିତ ଜଣେ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ସହାୟକ ଭାବେ ନେଇପାରିବେ ।