ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ନୂତନ ଅଧ୍ୟକ୍ଷକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଛି । ଏହା ମଧ୍ୟରେ ସରକାର ରାଜ୍ୟପାଳରେ ମଧ୍ୟ ଅଦଳବଦଳ କରୁଛନ୍ତି ଏବଂ ରାଜ୍ୟସଭା ପାଇଁ ନେତା ଚୟନ କରୁଛନ୍ତି । କୁହାଯାଉଛି ଏହି ସବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କ୍ୟାବିନେଟରେ ସମ୍ଭାବିତ ଅଦଳ ବଦଳର ଏକ ସଙ୍କେତ । ହେଲେ ଏହାକୁ ନେଇ ବିଜେପି କିମ୍ବା ଏନଡିଏ ସରକାରର କୌଣସି ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇ ନାହିଁ ।
ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଏହି ଅଦଳବଦଳ ଜରିଆରେ କ୍ୟାବିନେଟ ସଂପ୍ରସାରଣର ବ୍ଲୁପ୍ରିଣ୍ଟର ପ୍ରସ୍ତୁତି ଚାଲିଛି । ନିକଟରେ ହରିୟାଣା, ଗୋଆ ପାଇଁ ରାଜ୍ୟପାଳ ଓ ଲଦାଖ ପାଇଁ ଉପରାଜ୍ୟପାଳ ନିଯୁକ୍ତି କରାଯାଇଛି । ଏହାର ଗୋଟିଏ ଦିନ ପୂର୍ବରୁ ଆଡଭୋକେଟ୍ ଉଜ୍ଜ୍ୱଳ ନିକମ, ମିନାକ୍ଷୀ ଜୈନ, ହର୍ଷବର୍ଦ୍ଧନ ଶୃଙ୍ଗଲା ଓ ସି ସଦାନନ୍ଦ ମାଷ୍ଟରଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇଛି ।
ଇଣ୍ଡିଆନ ଏକ୍ସପ୍ରେସ ସହ ଆଲୋଚନା ବେଳେ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ବଡ ମନ୍ତ୍ରଣାଳୟରେ ଥିବା ଅଧିକାଂଶ ମନ୍ତ୍ରୀଙ୍କୁ ଗତ ମୋଦୀ ସରକାରରୁ ପୁଣି ଥରେ ବଡ ଦାୟିତ୍ୱ ଦିଆଯାଇଛି । ଏ ପର୍ଯ୍ୟନ୍ତ ଏହା ଉପରେ ଗୁରୁତ୍ୱ ଦିଆଯାଇ ଆସିଛି ଯେ, କ୍ୟାବିନେଟରେ ନିରନ୍ତରତା ବଜାୟ ରହିବ । ମାତ୍ର ଏବେ କ୍ୟାବିନେଟକୁ ବୈଦେଶିକ ମାମଲା ପରି ନୂଆ ପ୍ରାଥମିକତା ସହିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ କାରଣରୁ ବାଣିଜ୍ୟ ମନ୍ତ୍ରଣାଳୟକୁ ପୁଣି ଥରେ ସନ୍ତୁଳିତ କରାଯାଇପାରିବ ।
ଋିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କ୍ୟାବିନେଟରେ ରାଜ୍ୟସଭା ସାଂସଦ ବଦଳା ଯାଇପାରେ । ବିଶେଷ କରି ସେହି ସାଂସଦଙ୍କୁ ବଦଳା ଯାଇପାରେ ଯାହାଙ୍କ କାର୍ଯ୍ୟକାଳ ଅନ୍ତିମ ପର୍ଯ୍ୟାୟରେ ରହିଛି । ସେମାନଙ୍କୁ ସଂଗଠନରେ ବଡ ଦାୟିତ୍ୱ ଦିଆଯାଇପାରେ । ଅନ୍ୟପଟେ କୁହାଯାଉଛି ବିଜେପି ଜନତା ଦଳ ୟୁନାଇଟେଡ, ଲୋକ ଜନଶକ୍ତି ପାର୍ଟି ଓ ତେଲୁଗୁ ଦେଶମ ପାର୍ଟିର ନେତାଙ୍କୁ ଅଗ୍ରାଧିକାର ଦିଆଯାଇପାରେ । କାରଣ ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।