ରାୟପୁର: ଓଡ଼ିଶା ସୀମାନ୍ତ ଛତିଶଗଡ଼ ବିଜାପୁରରେ ମାଓବାଦୀମାନଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ସୂଚନାଦାତା ସନ୍ଦେହରେ ଦୁଇ ପାରା ଶିକ୍ଷକଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ଦୁଇ ଜଣ ମାଓ ପ୍ରବଣ ଅଞ୍ଚଳରେ ଶିକ୍ଷା ଦୂତ ଭାବେ କାମ କରୁଥିଲେ । ମୃତ ଶିକ୍ଷକ ହେଲେ ପିଲୁର ଗ୍ରାମର ବିନୋଦ ମାଡ଼େ (୩୨) । ସେ କୋଣ୍ଡାପାଡଗୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ସେହିପରି ଅନ୍ୟଜଣେ ହେଲେ ଟେକମେଟା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସୁରେଶ ମେଟା (୨୮) ।
ମାଓବାଦୀମାନେ ସେମାନଙ୍କୁ ଗଳାକାଟି ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲରେ ମୃତ ଦେହକୁ ଫିଙ୍ଗି ଦେଇଛନ୍ତି । ଗ୍ରାମବାସୀଙ୍କ କହିବା ମୁତାବକ, ଦୁଇ ଜଣଙ୍କୁ ମାଓବାଦୀମାନେ ଘରୁ ଉଠାଇ ନେଇଥିଲେ । ଏହା ପରେ ସେମାନଙ୍କ ଗଳାକାଟି ହତ୍ୟା କରିଛନ୍ତି । ଫର୍ସେଗଡ଼ ପୋଲିସ ଖବର ପାଇ ମୃତ ଦେହକୁ ଜବତ କରିବା ସହିତ ମାମଲା ରୁଜୁ କରିଛି ।
ଏଠାରେ ପ୍ରକାଶ ଯୋଗ୍ୟ, ଶିକ୍ଷା ଦୂତଙ୍କୁ ମାଓ ପ୍ରବଣ ଅଞ୍ଚଳରେ ନିଯୁକ୍ତ କରାଯାଇଛି । ସେମାନେ ବନ୍ଦ ହୋଇଥିବା ବିଦ୍ୟାଳୟକୁ ପୁନଃ ଖୋଲାଯିବା ପରେ ନିୟୋଜିତ ହୋଇଛନ୍ତି । ଏହି ସଦ୍ୟତମ ଆକ୍ରମଣ ଗତ ଦୁଇ ଦିନ ମଧ୍ୟରେ ବିଜାପୁରରେ ସମାନ ଧରଣର ହତ୍ୟାକାଣ୍ଡ ହୋଇଛି । ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ଦୁଇ ଛାତ୍ରଙ୍କ ସମେତ ଛଅ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ପୂର୍ବରୁ ଜୁନ୍ ୧୭ ତାରିଖରେ ଛତିଶଗଡ଼ର ବିଜାପୁର ଜିଲ୍ଲାର ପେଡ୍ଡାକୋର୍ମା ଗାଁରେ ନକ୍ସଲମାନେ ଜଣେ ୧୩ ବର୍ଷୀୟ ସ୍କୁଲ ଛାତ୍ର ଏବଂ ଜଣେ ୨୦ ବର୍ଷୀୟ କଲେଜ ଛାତ୍ର ସମେତ ତିନି ଜଣ ଗ୍ରାମବାସୀଙ୍କୁ ଗଳାକାଟି ହତ୍ୟା କରିଥିଲେ।