ପ୍ରତିବର୍ଷ ଜୁଲାଇ ୧୬ ତାରିଖକୁ ବିଶ୍ୱ ସର୍ପ ଦିବସ ରୂପେ ପାଳନ କରାଯାଏ। ସାପ ମାନଙ୍କୁ କ୍ଷତି ନ ପହଞ୍ଚାଇବା ପାଇଁ ଏବଂ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ସାପ ମାନଙ୍କ ପ୍ରତି ନିଜ ସ୍ନେହ ଦେଖାଇବା ପାଇଁ ବିଶ୍ୱରେ ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ପ୍ରକାର ଆୟୋଜନ କରିଥାନ୍ତି। ଅନ୍ୟାନ୍ୟ ପ୍ରାଣୀଙ୍କ ଭଳି ପ୍ରାକୃତିକ ବାସସ୍ଥାନ ନଷ୍ଟ, ଜଳବାୟୁ ପରିବର୍ତ୍ତନ, ରୋଗ ବ୍ୟାଧି, ସେମାନଙ୍କ ପ୍ରତି ମଣିଷ ଜାତିର ନକାରାତ୍ମକ ମନୋଭାବ ହେତୁ ସର୍ପ ମାନେ ବିପଦ ସଙ୍କୁଳ ଅବସ୍ଥାରେ ଅଛନ୍ତି। ସର୍ପମାନେ ପୁରାତନ ପୁରାଣ ଚରିତ୍ର ଏବଂ ସମଗ୍ର ବିଶ୍ୱରେ ବିଭିନ୍ନ ସଭ୍ୟତା ଦ୍ୱାରା ସମ୍ମାନିତ।
ବିଶ୍ୱରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୨୫୦୦ ପ୍ରକାରର ସର୍ପ ଦେଖିବାକୁ ମିଳିଥାନ୍ତି। ବିଶେଷକରି ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ରତାପୂର୍ଣ୍ଣ ଅଞ୍ଚଳରେ ସବୁ ଶ୍ରେଣୀର ଓ ପ୍ରକାରର ସାପ ଦେଖିବାକୁ ମିଳିଥାନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେତିକି ସାପଙ୍କୁ ଲୋକମାନେ ଭୟରେ ମାରିଦିଅନ୍ତି ସେଥିମଧ୍ୟରୁ ମାତ୍ର ୧୦ ପ୍ରତିଶତ ବିଷାକ୍ତ ଥାନ୍ତି। ଓଡ଼ିଶାରେ ପାଖାପାଖୁ ୮୨ ପ୍ରଜାତିର ସାପ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦ଟି ପ୍ରଜାତି ସାମୁଦ୍ରିକ ସାପ ଏବଂ ବାକି ୬୨ ପ୍ରଜାତି ଉଭୟଚର।
ସାଧାରଣତଃ ସମସ୍ତ ସାମୁଦ୍ରିକ ସାପ ବିଷଧର ହୋଇଥିବା ବେଳେ ଉଭୟଚର ସାପମାନଙ୍କ ମଧ୍ୟରୁ ମାତ୍ର ୧୦ଟି ପ୍ରଜାତିର ସାପ ହେଉଛନ୍ତି ବିଷଧର ବା ମନୁଷ୍ୟ ପାଇଁ କ୍ଷତିକାରକ। ନାଗ, ଗୋଖର, ଚିତି, ରଣା, ଅହିରାଜ, ତମ୍ପ, ଚନ୍ଦନ ବୋଡ଼ା, ଡାଳୁଆ ବୋଡ଼ା ଓ ଧୂଳିଆ ବୋଡ଼ା ଆଦି ବିଷଧର ସାପ। ଲୋକଙ୍କ ମଧ୍ୟରେ ୮୦% ମୃତ୍ୟୁ କେବଳ ନାଗ ଓ ଚିତି ସାପ କାମୁଡ଼ା ଯୋଗୁଁ ହୋଇଥାଏ । ଭାରତରେ ପ୍ରତି ବର୍ଷ ୫୦,୦୦୦ରୁ ଅଧୁକ ଲୋକ ସାପକାମୁଡ଼ାରେ ମୃତ୍ୟୁବରଣ କରୁଥିବା ବେଳେ ଆମ ରାଜ୍ୟରେ ଏହି ସଂଖ୍ୟା ୧୦୦୦ରୁ ଅଧିକ। ସାଧାରଣତଃ ମେ' ମାସଠାରୁ ସେପ୍ଟେମ୍ବର ମାସ ଭିତରେ ଏହା ହୋଇଥାଏ। କାରଣ ଏହି ସମୟରେ ସାପମାନେ ଅଣ୍ଡା ଦେଇଥାନ୍ତି। ତେବେ ଅଧିକରୁ ଅଧିକ ସଚେତନ କରିପାରିଲେ ସାପକାମୁଡ଼ା ଜନିତ ମୃତ୍ୟୁସଂଖ୍ୟା ଯଥାସମ୍ଭବ ହ୍ରାସ ପାଇପାରିବ।