ମନର ଭାଷାକୁ ଚେହେରାରେ ଆଙ୍କିଦିଏ ଫଟୋ। ଭବିଷ୍ୟତ ପାଇଁ ବର୍ତ୍ତମାନର ସ୍ମୃତିକୁ ସାଇତି ରଖେ। ଏଥିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରନ୍ତି ଜଣେ ଫଟୋଗ୍ରାଫର ଏବଂ ତାଙ୍କର ଅସ୍ତ୍ର କ୍ୟାମେରା। ଅତୀତ ହେଉ କି ବର୍ତ୍ତମାନ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଭବିଷ୍ୟତ ପାଇଁ ସାଇତି କରି ରଖିଥାଏ ଫଟୋଗ୍ରାଫି। ପ୍ରତିବର୍ଷ ଅଗଷ୍ଟ ମାସର ୧୯ ତାରିଖକୁ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ଭାବରେ ପାଳନ କରାଯାଉଛି। ଯୁଦ୍ଧର ଭୟାବହତା ହେଉ କି ଦାଦନର ଦୁଃଖ ବା ସଂସ୍କୃତି ପରମ୍ପରାର ଚିତ୍ର ଅବା ପ୍ରକୃତିର ଅପରୂପ ଛବି ସବୁକୁ ନିଜ କ୍ୟାମେରାରେ ସାଇତି ରଖେ ଫଟୋଗ୍ରାଫର। ଏଭଳି ପ୍ରତ୍ୟେକ ଫଟୋଗ୍ରାଫରଙ୍କୁ ସମର୍ପିତ ଆଜିର ଦିନ।
ପ୍ରଥମେ ଆଜକୁ ୧୮୬ ବର୍ଷ ପୂର୍ବେ ଫଟୋଗ୍ରାଫିର ବିକାଶ ଆରମ୍ଭ ହୋଇଥିଲା। ୧୮୩୯ ମସିହା ୯ ଜାନୁଆରୀରେ ସଂପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା ଫଟୋଗ୍ରାଫି। ଦୁଇ ଫ୍ରେଞ୍ଚ ବୈଜ୍ଞାନିକ କଲୁଇସ ଡାଗେର ଏବଂ ଜୋସେଫ ନାଇସଫୋର ଫଟୋଗ୍ରାଫିର ପ୍ରଥମ ପ୍ରକ୍ରିୟା ‘ଡାଗୁଏରୋଟାଇପ’ର ଆରମ୍ଭ କରିଥିଲେ। ଫ୍ରାନ୍ସ ସରକାର ୧୮୩୯ ମସିହା ୧୯ ଅଗଷ୍ଟ ଦିନ ଏହି ପ୍ରକ୍ରିୟାର ଘୋଷଣା କରିଥିଲେ। ସେବେ ଠାରୁ ଏହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ୧୯ ଅଗଷ୍ଟ ଦିନ ‘ୱାର୍ଲ୍ଡ ଫଟୋଗ୍ରାଫି ଡେ’ ପାଳନ କରାଯାଇଥାଏ।
ଆଉ ଧିରେ ଧିରେ ଫଟୋଗ୍ରାଫି ପ୍ରତି ଆକୃଷ୍ଟ ହେଲେ ଯୁବପିଢି। ଆଉ ଏହାକୁ ବୃତ୍ତି ଭାବେ ଭାବେ ମଧ୍ୟ ଗ୍ରହଣ କଲେ । ହେଲେ ୨୦୧୦ ମସିହାରୁ ଫଟୋଗ୍ରାଫିର କ୍ରେଜ ଅଧିକ ବଢିଥିବା କୁହାଯାଏ। ୨୦୧୦ ମସିହାରେ ଅଷ୍ଟ୍ରେଲିଆର ଜଣେ ଫଟୋଗ୍ରାଫର ଏହି ଦିନ ବିଷୟରେ ସଚେତନତା ଅଭିଯାନ ଆରମ୍ଭ କରିଥିଲେ। ସେ ତାଙ୍କର ୨୭୦ ବନ୍ଧୁ ଫଟୋଗ୍ରାଫରଙ୍କ ସହ ମିଶି ଅନଲାଇନ ଗ୍ୟାଲେରୀ କରି ସାଧାରଣରେ ସବୁଠୁ ଭଲ ଫଟୋ ପ୍ରଦର୍ଶନ କରିଥିଲେ। ଏହି ଅନଲାଇନ ଫଟୋ ଗ୍ୟାଲେରୀ ଟ୍ରେଣ୍ଡ ହୋଇଯାଇଥିଲା। ତେଣୁ ଏହାକୁ ଦୃଷ୍ଟି ରଖି ପ୍ରତିବର୍ଷ ‘ୱାର୍ଲ୍ଡ ଫଟୋଗ୍ରାଫି ଡେ’ ରେ ଅନଲାଇନ ଗ୍ୟାଲେରୀର ପ୍ରଦର୍ଶନ ହୋଇଆସୁଛି।