ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରତିଷ୍ଠାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସରସଂଘଚାଳକ ମୋହନ ଭାଗବତ ସଂଘ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ସଂଘ ସମାଜକୁ ଏକତ୍ରିତ କରିବା ପାଇଁ କାମ କରେ, କିନ୍ତୁ କୌଣସି ସଂଗଠନର କାର୍ଯ୍ୟରେ ସିଧାସଳଖ ହସ୍ତକ୍ଷେପ କରେ ନାହିଁ। ବର୍ତ୍ତମାନର ପରିସ୍ଥିତିରେ ଏହି ମୋହନ ଭାଗବତଙ୍କ ଏହି ଟିପ୍ପଣୀ ବେଶ ଗୁରୁତ୍ଵ ବହନ କରେ। କାରଣ ଅନେକ ସମୟରେ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ୍ କରନ୍ତି ଯେ ସରକାର ସଂଘର ନିର୍ଦ୍ଦେଶରେ କାମ କରୁଛି।
ମୋହନ ଭାଗବତ ସ୍ପଷ୍ଟ କରିଛନ୍ତି ଯେ ସଂଘର କାର୍ଯ୍ୟ ସରକାରରେ ହସ୍ତକ୍ଷେପ କରିବା ନୁହେଁ। "ସ୍ୱେଚ୍ଛାସେବକମାନେ ଅନେକ କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କର କାମ ସେମାନଙ୍କର, ଏହାର ଶ୍ରେୟ ସେମାନଙ୍କୁ ଯାଏ, ସଂଘକୁ ନୁହେଁ। କିନ୍ତୁ ଯଦି କୌଣସି ତ୍ରୁଟି ଥାଏ, ତେବେ ସଂଘକୁ ଅପମାନର ସମ୍ମୁଖୀନ ହେବାକୁ ପଡ଼େ। ସଂଘ ସ୍ୱୟଂସେବକମାନଙ୍କୁ ପ୍ରତ୍ୟକ୍ଷ ଭାବରେ କିମ୍ବା ଦୂରରୁ ନିୟନ୍ତ୍ରଣ କରେ ନାହିଁ। ଯିଏ କାମ କରୁଛି ସେ ସ୍ୱାଧୀନ। ଆମେ ସେମାନଙ୍କ ଉପରେ କୌଣସି ଚାପ ପକାଉ ନାହିଁ। ଭାଗବତ କହିଛନ୍ତି ଯେ ସଂଘ କୌଣସି ସଂଗଠନକୁ ନିୟନ୍ତ୍ରଣ କରିବା ପାଇଁ ଏକ ଗୋଷ୍ଠୀ ନୁହେଁ ବରଂ ସମଗ୍ର ଭାରତକୁ ସଂଗଠିତ କରିବାର ଏକ ପ୍ରୟାସ।
କାର୍ଯ୍ୟକ୍ରମ ସମୟରେ ମୋହନ ଭାଗବତ ହିନ୍ଦୁ ଶବ୍ଦ ଉପରେ ମଧ୍ୟ ନିଜର ମତ ପ୍ରକାଶ କରିଥିଲେ। ମୋହନ ଭାଗବତ କହିଛନ୍ତି ଯେ, ହିନ୍ଦୁ ଶବ୍ଦ ଆମର ପରମ୍ପରାକୁ ପ୍ରକାଶ କରେ। ଭାରତରେ ସମସ୍ତ ଧର୍ମ ଏବଂ ବିଶ୍ୱାସର ଅନୁଗାମୀମାନଙ୍କର ପରମ୍ପରା ସେମାନଙ୍କୁ ଗ୍ରହଣ ଏବଂ ସମ୍ମାନ କରିଥାଏ। ସେ କହିଛନ୍ତି, "ଯେଉଁ ଲୋକ ହିନ୍ଦୁ ନାମ ବ୍ୟବହାର କରିବାକୁ ଚାହେଁ, ତାଙ୍କୁ ଏହି ଦେଶ ପ୍ରତି ଦାୟୀ ହେବାକୁ ପଡିବ। ଆମ ଦେଶରେ ଧର୍ମାନ୍ତରିତ ମୁସଲମାନ ଅଛନ୍ତି, ସମସ୍ତେ ଗୋଟିଏ ମାଟିରୁ ତିଆରି। ଏକାଠି ରୁହନ୍ତୁ, ପରସ୍ପର ଭିତରେ ଅନାବଶ୍ୟକ ଭାବେ ଲଢିବାର ଆବଶ୍ୟକତା ନାହିଁ।
ଭାଗବତ କହିଛନ୍ତି, "ଯେତେବେଳେ ଆମେ ହିନ୍ଦୁ ରାଷ୍ଟ୍ର କହୁ, ଏହାର ଅର୍ଥ କାହାକୁ ବାଦ୍ ଦେବା ନୁହେଁ। ହିନ୍ଦୁ ପରିଚୟ କେବଳ ହିନ୍ଦୁମାନଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ଏହା ଏକ ଚିନ୍ତାଧାରା ଯାହା ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଥାଏ। ଭାରତର ପରିଚୟ ହେଉଛି ସମନ୍ୱୟ ଏବଂ ବିବିଧତାରେ ଏକତା, ସଂଘର୍ଷ ନୁହେଁ। ୪୦ ହଜାର ବର୍ଷ ଧରି ଭାରତବର୍ଷର ଡିଏନଏ ଏକ ଏବଂ ଏହା ଅଖଣ୍ଡ ଭାରତର ପରିଚୟ।"
Also read: ଅଗଷ୍ଟ ୩୧ରେ ଚୀନରେ ହେବ ପାୱାର ଶୋ; ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦୀ-ପୁଟିନ୍-ଜିନପିଙ୍ଗ, ଚିନ୍ତାରେ ପଡ଼ିଲେ ଡୋନାଲ୍ଡ ଟ୍ରମ୍ପ