ଶ୍ରୀନଗର: ଜମ୍ମୁ କାଶ୍ମୀରର ଡୋଡା ଏବଂ କିସ୍ତୱାରରେ ବାଦଲ ଫଟା ବର୍ଷା ହୋଇଛି । ମାତା ବୈଷ୍ଣୋଦେବୀ ମନ୍ଦିରକୁ ଯିବାକୁ ଥିବା ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ବ୍ୟକ୍ତି ନିଖୋଜ ଅଛନ୍ତି । ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ଅନ୍ୟପକ୍ଷରେ କିସ୍ତୱାରରେ ମଧ୍ୟ ମେଘ ଫାଟିବା ଖବର ମିଳିଛି ।
ଡୋଡାରେ ବାଦଲ ଫଟା ବର୍ଷାରେ ଦଶରୁ ଅଧିକ ଘର ଭାସିଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବୈଷ୍ଣୋଦେବୀ ଯାତ୍ରାକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି । ଅର୍ଦ୍ଧକୁଆଁରୀରୁ ଭବନ ଯାଏଁ ମାର୍ଗକୁ ବନ୍ଦ କରାଯାଇଛି । ରାମବନ ଜିଲ୍ଲାର ଚନ୍ଦରକୋଟ, କେଲା ମୋଡ଼ ଏବଂ ବେଟରୀ ଚସ୍ମା ପଥର ଖସିବା ଯୋଗୁଁ ଜାତୀୟ ରାଜପଥ-୨୪୪ରେ ଯାନବାହାନ ଚଳାଚଳକୁ ସ୍ଥଗିତ ରଖାଯାଇଛି ।
ସେହିପରି ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ୨୭ ଅଗଷ୍ଟରେ ହେବାକୁ ଥିବା ଦଶମ ଏବଂ ଏକାଦଶ ଶ୍ରେଣୀର ପରୀକ୍ଷା ବାତିଲ କରାଯାଇଛି। ଖୁବ୍ ଶୀଘ୍ର ନୂତନ ତାରିଖ ପୃଥକ ଭାବରେ ଘୋଷଣା କରାଯିବ। ୨୭ ଅଗଷ୍ଟରେ ସମସ୍ତ ସ୍କୁଲ ମଧ୍ୟ ବନ୍ଦ କରାଯାଇଛି।
ବର୍ଷା ବିତ୍ପାତ ପରେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ପରିସ୍ଥିତି ଗମ୍ଭୀର ରହିଛି । ସେ ପରବର୍ତ୍ତୀ ବିମାନରେ ଜମ୍ମୁ ପହଞ୍ଚି ପରିସ୍ଥିତି ଉପରେ ବ୍ୟକ୍ତିଗତ ଭାବରେ ନଜର ରଖିବେ । ସେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଡେପୁଟି କମିଶନର ହରବିନ୍ଦର ସିଂହ କହିଛନ୍ତି ଯେ ତିନି ଦିନ ଧରି ଲଗାତାର ବର୍ଷା ହେଉଛି। ବିଶେଷକରି ଚେନାବ ନଦୀ ସହିତ ସଂଯୁକ୍ତ ଅଞ୍ଚଳଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏନ୍ଏଚ୍-୨୪୪ ସମ୍ପୂର୍ଣ୍ଣ ଭାସିଯାଇଛି। ଏକ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।